ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟର ସରକାର ଗଠନ ଆଶା ମଉଳିନି। ସରକାର ଗଠନ ପାଇଁ ୨୭୨ ସଂଖ୍ୟା ଦରକାର। ଇଣ୍ଡି ମେଣ୍ଟ ୨୩୧ ଆସନରେ ବିଜୟୀ ଅଗ୍ରଣୀ ଆଗୁଆ ଥିବାବେଳେ ଏନଡିଏ ମେଣ୍ଟ ୨୯୪ ଆସନରେ ବିଜୟୀ/ଅଗ୍ରଣୀ ରହିଛି। ବିଜେପି ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ଥିବା ମ୍ୟାଜିକ୍‌ ନମ୍ବରରେ ପହଞ୍ଚି ପାରିନି। ତେବେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ଥିବା ଆସନ ବ୍ୟବଧାନ ହେଉଛି କେବଳ ୬୦। ତେଣୁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ସରକାର ଗଠନ ଆଶା ମଉଳିନି। କେନ୍ଦ୍ରରେ ସରକାର ଗଠନ ପାଇଁ କଂଗ୍ରେସ ଦଳ ଏହାର ପୁରୁଣା ମେଣ୍ଟ ସହଯୋଗୀ ଜେଡିୟୁ ଏବଂ ଟିଡିପି ସହ ଯୋଗାଯୋଗ କରୁଛି ବୋଲି କୁହାଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆସନ୍ତାକାଲି ବୈଠକରେ ଇଣ୍ଡି ମେଣ୍ଟ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବ।

Advertisment

ରାହୁଲ କହିଛନ୍ତି, ଆସନ୍ତାକାଲି ଆମେ ଏକ ବୈଠକ କରିବୁ ଏବଂ ଏହି ବୈଠକରେ ମେଣ୍ଟ ସହଯୋଗୀମାନେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ନୂଆ ସହଯୋଗୀଙ୍କ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ଖଡ଼ଗେ କହିଛନ୍ତି, ଆମେ ଆମର ମେଣ୍ଟ ସହଯୋଗୀ ଏବଂ ନୂ୍ଆ ସହଯୋଗୀଙ୍କ ସହ ଯୋଗାଯୋଗ କରିବୁ। ଆମେ କିଭଳି ସଂଖ୍ୟାଗରିଷ୍ଠତା ହାସଲ କରିବୁ ସେନେଇ ଆମେ ଆଲୋଚନା କରିବୁ। କିନ୍ତୁ ଯଦି ରଣନୀତି ସଂକ୍ରାନ୍ତରେ ଆମେ ଆଗୁ୍ଆ କହିଦେବୁ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚେତନ ହୋଇଯିବେ ବୋଲି ସେ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ଇଣ୍ଡି ମେଣ୍ଟ ନେତା ଶରଦ ପାୱାର ଆଜି ଅପରାହ୍ନରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। କିନ୍ତୁ ଏନ୍‌ସିପି ଏହି ଦାବିକୁ ଖଣ୍ଡନ କରିଛି।