୬୦ ବର୍ଷ ଧରି ‌ଲୋକଙ୍କୁ ଶୁଆଇ ଦେଇନି କଂଗ୍ରେସ

ନୂଆଦିଲ୍ଲୀ: ସବୁ କୃଷି ଋଣ ଛାଡ଼ ନ ହେବା ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୋଇବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୟାନ ଦେବା ପରେ ବିଜେପି ଏହାକୁ କଡ଼ା ନିନ୍ଦା କରିଛି। ଏହାକୁ ସବୁଠୁ ତଳସ୍ତରର ରାଜନୀତି ବୋଲି ବିଜେପି ଦର୍ଶାଇଛି।
ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ମୁହଁରୁ ଏହାଠାରୁ ଅଧିକ କିଛି ଆଶା କରାଯାଇ ପାରେନା। କେବଳ ତାଙ୍କ ଭଳି ନେତାଙ୍କଠାରେ ଏହା ଶୋଭା ପାଉଛି। ତେବେ କୃଷି ଋଣ ଛାଡ଼ ବାବଦରେ ମତ ରଖି ପ୍ରସାଦ କହିଛନ୍ତି, କଂଗ୍ରେସ ଦେଶକୁ ୬୦ ବର୍ଷ ଶାସନ କରିଥିଲା। କିନ୍ତୁ ଚାଷୀମାନଙ୍କ ପାଇଁ କିଛି କରିନଥିଲା।

ଏବେ ଚାଷୀମାନଙ୍କ ସ୍ବାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। କଂଗ୍ରେସ ଦୀର୍ଘ ୬୦ ବର୍ଷ ଧରି ଶାସନ କରିଥିଲା। ଏହି ସମୟରେ ହୋଇଥିବା ଦୁର୍ନୀତି ଯୋଗୁ ୬୦ ବର୍ଷ ଧରି ଭାରତୀୟ ନାଗରିକ ଠିକ୍‌ ଭାବେ ଶୋଇପାରି ନାହାନ୍ତି। କିନ୍ତୁ ରାହୁଲ ଏବେ ଚାଷୀଙ୍କ ହିତ କଥା ଉଠାଇ କେବଳ ନାଟକବାଜି କରୁଛନ୍ତି। ରାହୁଲ କହିଥିଲେ ଯେ ବିଗତ ସାଢ଼େ ୪ ବର୍ଷ ହେଲା ମୋଦୀ ସରକାର କୃଷକଙ୍କ ପାଇଁ କିଛି ବି କରିନାହାନ୍ତି।
ଅନ୍ୟପକ୍ଷରେ ଫ୍ରାନ୍ସ ସହ ହୋଇଥିବା ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏ ବାବଦରେ ସଂସଦରେ ଖୋଲା ବିତର୍କ କରିବାକୁ ଆଗେଇ ଆସିବା ଉଚିତ। ଆଖିରେ ଆଖି ମିଶାଇ ରାଫେଲ୍‌ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରାଯିବା ଆବଶ୍ୟକ। କଂଗ୍ରେସ ଖାତାରେ ପ୍ରତିରକ୍ଷା ଚୁକ୍ତିକୁ ନେଇ ଅନେକ ଦୁର୍ନୀତି ସ୍ଥାନ ପାଇଥିବାରୁ ସିଧାସଳଖ ଆଲୋଚନା ପାଇଁ ଦଳ ପଛଘୁଞ୍ଚା ଦେଉଛି ବୋଲି ପ୍ରସାଦ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର