ନୂଆଦିଲ୍ଲୀ : କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ସହ ଗୁରୁବାର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏକ ଭର୍ଚୁଆଲ୍‌ ବୈଠକରେ ଦଳର ବରିଷ୍ଠ ଓ କନିଷ୍ଠ ନେତାମାନଙ୍କ ମଧ୍ୟରେ ରହିଥିବା ମତଭେଦ ପଦାକୁ ଆସିଛି। ଦଳ ନିଜ କାର୍ଯ୍ୟକଳାପର ଆତ୍ମସମୀକ୍ଷା ପାଇଁ ଜଣେ ବରିଷ୍ଠ ନେତା ପରାମର୍ଶ କଲା ବେଳେ ଜଣେ ରାହୁଲ ସମର୍ଥକ କନିଷ୍ଠ ନେତାଙ୍କ ଅପ୍ରତ୍ୟାଶିତ ପ୍ରତିକ୍ରିୟା ହିଁ ଦଳର ପିଢ଼ିଗତ ଫାଟକୁ ସ୍ପଷ୍ଟ କରିଥିବା ଚର୍ଚ୍ଚା ହେଉଛି। ଉକ୍ତ ବୈଠକରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂହ, ଏ କେ ଆନ୍ଥୋନି, ଗୁଲାମ ନବି ଆଜାଦ୍‌, ପି. ଚିଦାମ୍ବରମ୍‌, ଆନନ୍ଦ ଶର୍ମା ଏବଂ କପିଲ ଶିବଲଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଲୋଚନା ବେଳେ ରାହୁଲ ଗାନ୍ଧିଙ୍କୁ ପୁଣି ଦଳର ମଙ୍ଗ ସମ୍ଭାଳିବା ଲାଗି ପ୍ରସ୍ତାବ ଉଠିଥିଲା।

Advertisment

ଏହି ଅବସରରେ କିଛି ବରିଷ୍ଠ ନେତା କହିଥିଲେ ଯେ ସମ୍ପ୍ରତି ମୋଦୀ ସରକାର ମହାମାରୀ କୋଭିଡ୍‌ ଏବଂ ଚୀନ୍‌ ସହ ସଂଘର୍ଷ ପରି ସଂକଟଜନକ ପ୍ରସଙ୍ଗର ପରିଚାଳନା କରୁଛନ୍ତି। ସୁତରାଂ ଏ ଭଳି ସ୍ଥିତିରେ ଲୋକେ ଆଉ କଂଗ୍ରେସ କଥା ଶୁଣିବା ଅବସ୍ଥାରେ ନାହାନ୍ତି, ବରଂ ବିଜେପି ଲୋକପ୍ରିୟ ହେବାରେ ଲାଗିଛି। ତେବେ ରାହୁଲ ଗାନ୍ଧିଙ୍କ କଠିନ ପରିଶ୍ରମ ସତ୍ତ୍ବେ ଏଭଳି ଘଟୁଛି ବୋଲି ଜଣେ ଟିପ୍ପଣୀ କରିଥିବା ବେଳେ ଦଳର ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସଂଗଠନ ଦୁର୍ବଳ ବୋଲି ଚିଦାମ୍ବରମ୍‌ ମନ୍ତବ୍ୟ ଦେଇଥିଲେ। ସେହିପରି ଉପରୁ ତଳ ଯାଏ ଦ​ଳର ଆତ୍ମସମୀକ୍ଷା ଜରୁରୀ ହୋଇପଡ଼ିଛି ବୋଲି କପିଲ ସିବଲ ମତ ରଖିଥିଲେ। ତେବେ ଏଥିରେ ନବାଗତ ରାଜ୍ୟସଭା ସାଂସଦ ତଥା ରାହୁଲ ସମର୍ଥକ ରାଜୀବ ସତାବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯଦି ଆତ୍ମସମୀକ୍ଷା କରାଯିବ, ଦଳ ୨୦୦୯ ମସିହାରେ ଶାସନରେ ଥିଲାବେଳଠାରୁ ଆରମ୍ଭ କରି ୨୦୧୪ର ପରାଜୟ ଯାଏ କରାଯାଉ। ସେତେବେଳେ ଆତ୍ମସମୀକ୍ଷା କରାଯାଇଥିଲେ ହୁଏ ତ ଦଳ ଏମିତି ୪୪ ଆସନକୁ ସଂକୁଚିତ ହୋଇନଥାନ୍ତା ବୋଲି ସତାବ ଟିପ୍ପଣୀ କରିଥିଲେ। ପରୋକ୍ଷରେ ସେ ଉପା-୨ ମନ୍ତ୍ରୀମାନଙ୍କ ଦକ୍ଷତାରେ ପ୍ରଶ୍ନ ଲଗାଇଥିଲେ। ତେବେ ଏହା ଦଳର ବରିଷ୍ଠ ଓ କନିଷ୍ଠମାନଙ୍କ ମଧ୍ୟରେ ରହିଥିବା ଗାଢ଼ ମତଭେଦର ପରିପ୍ରକାଶ ବୋଲି ଆଲୋଚିତ ହେଉଛି।