ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟକୁ ନିଜ ମୁଣ୍ଡକୁ ନେଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଜ ଜିଦ୍ରେ ଏବେ ବି ଅଟଳ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜର ସବୁ କାର୍ଯ୍ୟକ୍ରମକୁ ବାତିଲ କରି କାହାକୁ ସାକ୍ଷାତ୍ ନଦେଇ ନିଜକୁ ନିଜର ତୋଗଲୋକ ରୋଡ୍ସ୍ଥିତ ବାସ ଭବନରେ ଗୃହବନ୍ଦୀ କରି ରଖିଥିବା ରାହୁଲଙ୍କୁ ଆଜି ବହୁ ପ୍ରୟାସ ପରେ ଶେଷରେ ସାକ୍ଷାତ୍ କରି ଦଳର ସାଂପ୍ରତିକ ସ୍ଥିତି ସଂପର୍କରେ ଆଲୋଚନା କରିବାରେ ସମର୍ଥ ହୋଇଛନ୍ତି ତାଙ୍କର ଭଉଣୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ, ଉପ- ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଓ ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ୍ ସୂର୍ଯେଓ୍ଵାଲା ଓ ଅନ୍ୟତମ ସାଧାରଣ ସଂପାଦକ କେ ସି ଭେନୁଗୋପାଲ।
ଆଲୋଚନା ବିଷୟବସ୍ତୁ ଓ ସବିଶେଷ ବିବରଣୀ ନେଇ ସୂଚନା ହସ୍ତଗତ ହୋଇ ନଥିଲେ ମଧ୍ୟ ଏହି ନେତାମାନେ ରାହୁଲଙ୍କୁ ତାଙ୍କ ଇସ୍ତଫା ନିଷ୍ପତ୍ତିର ପୁନଃବିଚାର ସହ ଏହାକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ। ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ରାହୁଲ ବିପର୍ଯ୍ୟୟର କାରଣ, ‘ଦଳୀୟ ବରିଷ୍ଠ ନେତାମାନଙ୍କ ପୁତ୍ର ମୋହ’ ବୋଲି ଯାହା ଦର୍ଶାଇ ଥିଲେ ତାହାକୁ ଏହି ନେତାମାନେ ସ୍ୱୀକାର କରିବା ସହ ଆଗକୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ଦେବା ସହ ଦଳ ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାରୁ ଯଦି ରାହୁଲ ନିଜ ଜିଦ୍ରେ ଅଟଳ ରୁହନ୍ତି ଓ ନିଜ ପଦବୀରୁ ଇସ୍ତଫା ଦିଅନ୍ତି, ତେବେ ତାହା ଦଳ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ରାହୁଲଙ୍କୁ ବୁଝାଇଥିଲେ। ରାହୁଲ ସବୁ କଥା ନିରବରେ ଶୁଣିଥିଲେ ମଧ୍ୟ ନିଜର କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନଥିଲେ।
/sambad/media/post_attachments/wp-content/uploads/2019/05/Cong1-300x200.jpg)
ଅନ୍ୟ ଏକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିର୍ବାଚନରେ ଦଳର ବିପର୍ଯ୍ୟୟ ରାହୁଲଙ୍କୁ ଯେତେ ଆଘାତ ନ ଦେଇଛି ତା’ଠାରୁ ତାଙ୍କୁ ବହୁ ଅଧିକ ଶକ୍ତ ଧକ୍କା ଦେଇଛି କଂଗ୍ରେସର ଗଡ଼ ରୂପେ ବିଦିତ ଉତ୍ତରପ୍ରଦେଶର ଆମେଥି ଆସନରୁ ତାଙ୍କର ପରାଜୟ। ଆମେଥିରୁ ନିଜର ପରାଜୟକୁ ସହଜ ଭାବେ ଗ୍ରହଣ କରିପାରୁ ନାହାନ୍ତି ରାହୁଲ। ଏ ପରିସ୍ଥିତିରେ ରାହୁଲ ଆଜି ସକାଳେ ଦଳର ଅନ୍ୟତମ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ ଫୋନ୍ କରି ଏକ ସପ୍ତାହ ମଧ୍ୟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଡକାଇବା ସହ ଏକ ମାସ ମଧ୍ୟରେ ଦଳର ନୂତନ ଅଧ୍ୟକ୍ଷଙ୍କୁ ଖୋଜି ବାହାର କରିବାକୁ କହିଥିବା ଜାଣିବାକୁ ମିଳିଛି।