ଆଜାଦଙ୍କ ବିରୋଧରେ ବର୍ଷିଲା କଂଗ୍ରେସ: ଡିଏନ୍‌ଏ ମୋଦୀମୟ ହୋଇଯାଇଛି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଯେଉଁଭଳି ସମାଲୋଚନା କରିଛନ୍ତି ଦଳ ତାହାକୁ କଡ଼ା ନିନ୍ଦା କରିଛି। ଗୁଲାମ ନବୀ ଆଜାଦଙ୍କ ଉପରେ ବର୍ଷି କଂଗ୍ରେସ ତାଙ୍କ ଇସ୍ତଫାକୁ ରାଜ୍ୟସଭା କାର୍ଯ୍ୟକାଳ ଶେଷ ସହ ଯୋଡ଼ିଛି। ଆଜାଦଙ୍କ ବିଶ୍ବାସଘାତକତା ତାଙ୍କ ବାସ୍ତବ ଚରିତ୍ରକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ କହିଛି।

କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଶୁକ୍ରବାର ଦିନ ଟ୍ବିଟ୍‌ କରି ଆଜାଦଙ୍କୁ କଡ଼ା‌ ସମାଲୋଚନା କରିଛନ୍ତି। କଂଗ୍ରେସ ଦ୍ବାରା ସବୁଠାରୁ ଅଧିକ ସମ୍ମାନ ପାଇଥିବା ବ୍ୟକ୍ତି ଆଜି ଦଳ ସହ ବିଶ୍ବାସଘାତକତା କରିଛନ୍ତି। ଏଥିରୁ ଆଜାଦଙ୍କ ବାସ୍ତବ ଚରିତ୍ର ପଦାରେ ପଡ଼ିଯାଇଛି। ଜିଏନଏଙ୍କ ଡିଏନ୍‌ଏ ଏବେ ମୋଦୀମୟ ହୋଇଯାଇଛି କହି ଜୟରାମ ତାଙ୍କୁ କଡ଼ା ସମାଲୋଚନା‌ କରିଛନ୍ତି। ଅନ୍ୟପକ୍ଷରେ, ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ଦଳର ଗଣମାଧ୍ୟମ ବିଭାଗ ମୁଖ୍ୟ ପୱନ ଖେରା ଆଜାଦଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି ଏବଂ ତାଙ୍କ ଇସ୍ତଫାକୁ ରାଜ୍ୟସଭା କାର୍ଯ୍ୟକାଳ ସହ ଯୋଡ଼ିଛନ୍ତି। ଖେରା କହିଛନ୍ତି, ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାପରେ ଆପଣ ଅସ୍ଥିର ହୋଇପଡ଼ିଲ। ଗୋଟିଏ ସେକେଣ୍ଡ ପାଇଁ ବି ଆଜାଦ ବିନା ପଦବିରେ ରହିପାରିବେନି।

ଆଜାଦଙ୍କ ଇସ୍ତଫା ସମୟକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି। ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ ଅନ୍ୟ ପ୍ରସଙ୍ଗରେ କଂଗ୍ରେସ ଏବେ ବିଜେପି ବିରୋଧରେ ଲଢ଼ୁଥିବାବେଳେ ଏଭଳି ଏକ ଜଟିଳ ସମୟରେ ଆଜାଦ ଦଳ ଛାଡ଼ିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜୟରାମ ରମେଶ କହିଛନ୍ତି। ଆଜାଦଙ୍କ ଚିଠିରେ ଥିବା ବିଷୟବସ୍ତୁ ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଆଜାଦଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ଗେହଲଟ କହିଛନ୍ତି, ଦଳର ମୁଖ୍ୟ ସୋନିଆ ଗାନ୍ଧି ମେଡିକାଲ ଚେକଅପ୍‌ ପାଇଁ ଆମେରିକାରେ ଥିବାବେଳେ ଏଭଳି ସମୟରେ ଆଜାଦଙ୍କ ଇସ୍ତଫା ଅତ୍ୟନ୍ତ ସମ୍ବେଦନହୀନ। ଗେହଲଟ କହିଛନ୍ତି, ଆଜାଦଙ୍କ ଚିଠି ମୁଁ ପଢ଼ିଛି। ଦୀର୍ଘ ୪୨ ବର୍ଷ ଧରି ସେ ମୋ ବନ୍ଧୁ । କିନ୍ତୁ ତାଙ୍କର ନିଷ୍ପତ୍ତି ମତେ ଖୁବ୍‌ ମର୍ମାହତ କରିଛି। ଆଜାଦ ଯେଉଁ ପରିଚୟ ପାଇଛନ୍ତି ତାହା କେବଳ କଂଗ୍ରେସ ପାଇଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର