କଂଗ୍ରେସ କନ୍ଦଳରେ ମାତିଛି: ହିମାଚଳରେ ଜିତିକି, ଓଡ଼ିଶାରେ ହାରିକି

ହିମାଚଳରେ ହାଇଡ୍ରାମା, ଶକ୍ତି ପ୍ରଦର୍ଶନ, ହାଇକମାଣ୍ଡ ହାତରେ ଛାଡ଼ିଲେ ନିଷ୍ପତ୍ତି

ସିମ୍‌ଲା : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଜିତିବାପରେ କଂଗ୍ରେସର ସମସ୍ୟା ବଢ଼ିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ ଥିବା ବେଳେ ସେମାନଙ୍କ ମଧ୍ୟରେ ତୀବ୍ର ଛକାପଞ୍ଝା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ବାଛିବାପାଇଁ କଂଗ୍ରେସ ଆଜି ସିମ୍‌ଲାରେ ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ କରିଛି। ତେବେ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ନାମ ଚୂଡ଼ାନ୍ତ ହୋଇପାରିନାହିଁ ଏବଂ ଏ ସଂପର୍କରେ ହାଇକମାଣ୍ଡ୍‌ ଯାହା ନିଷ୍ପତ୍ତି ନେବେ ତାହାକୁ ବିଧାୟକମାନେ ଗ୍ରହଣ କରିବେ ବୋଲି ପ୍ରସ୍ତାବ ପାରିତ ହୋଇଛି।

ଶୁକ୍ରବାର ଦିନ ବୈଠକ ପୂର୍ବରୁ ରାଜ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। କଂଗ୍ରେସ ପାଇଁ ନୂଆ ସମସ୍ୟା ସୃଷ୍ଟି କରି ବହୁ ସଂଖ୍ୟାରେ ଦଳୀୟ କର୍ମୀ ଆଜି ଦଳୀୟ ନେତାଙ୍କ ଗାଡ଼ି ଅଟକାଇ ସ୍ଲୋଗାନ୍‌ ଦେଇଥିଲେ। ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହଙ୍କ ସମର୍ଥକମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଗାଡ଼ି ଅଟକାଇ ସ୍ଲୋଗାନ ଦେଇଥିଲେ। ବାଘେଲ ସିମ୍‌ଲାରେ ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଯୋଗ ଦେବାପାଇଁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ିକୁ ଘେରିଯାଇଥିଲେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ୩ ଜଣ ଆଶାୟୀ ମଧ୍ୟ ଅଛନ୍ତି। ସେମାନେ ‌ହେଉଛନ୍ତି ସୁଖୱିନ୍ଦର ସିଂହ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ‌ଚୌହାନ। ସୁଖୁଙ୍କ ସମର୍ଥକମାନେ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦାବି କରିଥିବା ବେଳେ ମୁକେଶଙ୍କ ସମର୍ଥକମାନେ ମଧ୍ୟ ଚାପ ବଢ଼ାଇଛନ୍ତି।

କଂଗ୍ରେସ ବୈଠକର କିଛି ଘଣ୍ଟା ପୂର୍ବରୁ ପ୍ରତିଭା ସିଂହ ଶୁକ୍ରବାର ଦିନ କହିଥିଲେ ଯେ ଦଳରେ କୌଣସି ଗୋଷ୍ଠୀବାଦ ନାହିଁ। ସମସ୍ତେ ଆମ ସହ ଅଛନ୍ତି। ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହାନ୍ତି ବୋଲି ଆଜି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆଜି ସକାଳେ ପ୍ରତିଭା ଦଳକୁ ମନେ ପକାଇ ଦେଇଥିଲେ ଯେ ନିର୍ବାଚନ ତାଙ୍କ ସ୍ବାମୀ ବୀରଭଦ୍ର ସିଂହଙ୍କ ନାମରେ ଲଢ଼ି ଜିତାଯାଇଛି। ପ୍ରତିଭା କହିଛନ୍ତି, ନିର୍ବାଚନ ପୂର୍ବରୁ ଦଳର ନେତୃତ୍ବ ନେବାପାଇଁ ମତେ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧି ଦାୟିତ୍ବ ଦେଇଥିଲେ। ତେଣୁ ମୁଁ ରାଜ୍ୟର ନେତୃତ୍ବ ନେବାକୁ ସ୍ଥିର କରିଛି। ତେବେ ପ୍ରତିଭାଙ୍କ ଏହି ଦାବିକୁ ନେଇ ଦଳୀୟ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର