ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ବୋଲି ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡ଼ା ନିକଟରେ ଦେଇଥିବା ମନ୍ତବ୍ୟ ଠାରୁ କଂଗ୍ରେସ ଦଳ ନିଜକୁ ଦୂରେଇ ନେଇଛି। ଏହି ପ୍ରସଙ୍ଗରେ ପ୍ରିଟୋଡ଼ା ଦଳର ଆଭିମୁଖ୍ୟଙ୍କୁ ପ୍ରତିଫଳିତ କରନ୍ତି ନାହିଁ ବୋଲି କୁହାଯାଇଛି। ଗୁରୁବାର କଂଗ୍ରେସ ଯୋଗାଯୋଗ ଦାୟିତ୍ବରେ ଥିବା ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ପିଟ୍ରୋଡ଼ା ଏଏନ୍ଆଇକୁ ଦେଇଥିବା ସାକ୍ଷାତ୍କାରରେ ଯେଉଁ ମତ ରଖିଛନ୍ତି ତାହା ତାଙ୍କର ନିଜସ୍ବ। ଦଳର ଆଧିକାରିକ ସ୍ଥାନକୁ ତାହା ପ୍ରତିନିଧିତ୍ବ କରେନାହିଁ। ସେ କଂଗ୍ରେସର ମତ ନୁହେଁ ବରଂ ନିଜର ମତ ରଖିଛନ୍ତି । ପିଟ୍ରୋଡ଼ା କଂଗ୍ରେସ ଦଳ ପକ୍ଷରୁ କୁହନ୍ତି ନାହିଁ ବୋଲି ରମେଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବେକାରୀ ଭଳି ଗମ୍ଭୀର ସମସ୍ୟା ପରିବର୍ତ୍ତେ ରାମ ମନ୍ଦିର ନିର୍ମାଣ ଉପରେ ଦେଶରେ ଧ୍ୟାନ ଦିଆଯାଉଥିବାରୁ ତାହା ତାଙ୍କୁ ବ୍ୟଥିତ କରୁଛି ବୋଲି ପିଟ୍ରୋଡ଼ା କହିଥିଲେ। ଆସନ୍ତାମାସ ୨୨ ତାରିଖରେ ରାମ ମନ୍ଦିର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ପିଟ୍ରୋଡ଼ାଙ୍କ ଏଭଳି ବୟାନ କଂଗ୍ରେସ ଦଳକୁ ଅଡ଼ୁଆ ପରିସ୍ଥିତିରେ ପକାଇଥିଲା। ରାଜନୀତିରେ ଧର୍ମକୁ ଅତ୍ୟଧିକ ଗୁରୁତ୍ବ ଦିଆଯାଉଥିବାରୁ ସେ ଚିନ୍ତାବ୍ୟକ୍ତ କରିଥିଲେ। ପିଟ୍ରୋଡ଼ା କହିଥିଲେ ଧର୍ମକୁ ଅତ୍ୟଧିକ ଗୁରୁତ୍ବ ଦିଆଯାଉଥିବାରୁ ତାହା ତାଙ୍କୁ ଚିନ୍ତିତ କରୁଛି। ଦେଶରେ ଗଣତନ୍ତ୍ରକୁ ଗୁରୁତ୍ବହୀନ ମନେ କରାଯାଉଛି। ମୁଁ ଦେଖୁଛି ଦେଶରେ ଗଣତନ୍ତ୍ର ଦୁର୍ବଳ ହେଉଛି।
ଆମେ ଭୁଲ ଦିଗରେ ଯାଉଥିବା ସଂକେତ ମୋତେ ମିଳୁଛି। ସମଗ୍ର ଦେଶ ଯେତେବେଳେ ରାମ ମନ୍ଦିର, ରାମ ଜନ୍ମଭୂମି ଏବଂ ଦୀପ ଜଳାଅ କାର୍ଯ୍ୟରେ ମାତିଛି ତାହା ମୋତେ ଚିନ୍ତାରେ ପକାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ସେ କହିଛନ୍ତି ଦେଶରେ ଯାହାକିଛି ଭଲ ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଉଛି ବୋଲି ପ୍ରତ୍ୟେକ ଭାବିବା ମଧ୍ୟ ତାଙ୍କୁ ବ୍ୟଥିତ କରୁଛି। ବ୍ୟକ୍ତିଗତ ଧାର୍ମିକ ବିଶ୍ବାସ ଦେଶର ଶିକ୍ଷା, ନିଯୁକ୍ତି, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ସ୍ବାସ୍ଥ୍ୟ, ପରିବେଶ ଚିନ୍ତା ଏବଂ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଘୋଡ଼ାଇ ପକାଇବା ଉଚିତ ନୁହେଁ। ପିଟ୍ରୋଡ଼ାଙ୍କ ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଥିଲା। କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଥିଲେ ଯେ କଂଗ୍ରେସ ନେତା ଦେଶର ଭାବନା ସହିତ ଯୋଗାଯୋଗରେ ନାହାନ୍ତି। ଏହିମାନେ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପାଇଁ ପ୍ରଭୁ ରାମ ହେଉଛନ୍ତି କାଳ୍ପନିକ ଚରିତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଲେଖି କହିଥିଲେ।