୮୪ ଶିଖ ଦଙ୍ଗା ସଂପର୍କରେ ପିତ୍ରୋଡାଙ୍କ ମତ ଦଳର ମତ ନୁହେଁ : କଂଗ୍ରେସ

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏହା କଂଗ୍ରେସ ଦଳର ମତ ନୁହେଁ । କଂଗ୍ରେସ ସବୁବେଳେ କ୍ଷତିଗ୍ରସ୍ତ ଶିଖମାନଙ୍କ ଉନ୍ନତି ପାଇଁ କାମ କରିଆସିଛି । କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନେତାମାନେ ଭାବିଚିନ୍ତି ବୟାନ ଦେବା ଜରୁରୀ ।

ନିକଟରେ କଂଗ୍ରେସର ଦରିଆପାରି ମୁଖ୍ୟ ସାମ ପିତ୍ରୋଦା କହିଥିଲେ ଯେ “୧୯୮୪ରେ ଦଙ୍ଗା ହେଲା ହେଲା, ସେଇଠୁ କଣ ହେଲା” ? ସାମଙ୍କ ଏହି ବୟାନ ପରେ ଶିଖ ସମାଜରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଖୋଦ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସାମଙ୍କ ବୟାନର ବିରୋଧ କରି କହିଛନ୍ତି ଯେ ଏହି ଶିଖ ବିରୋଧୀ ଗଣହତ୍ୟାରେ ସଂପୃକ୍ତ ଥିବା ଅତି କମରେ ୫ ଜଣ ଦିଲ୍ଲୀ କଂଗ୍ରେସ ନେତାଙ୍କୁ ସେ ଜାଣନ୍ତି । ବିଜେପି ମଧ୍ୟ ଏହି ବୟାନ ପାଇଁ ସୋନିଆ ଓ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରୁଥିଲା ।

ତେବେ ବିବାଦ ଘନାଉଥିବା ଦେଖି ପିତ୍ରୋଡା ନିଜର ମନ୍ତବ୍ୟ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର