ପୁଡୁଚେରୀ : ପୁଡୁଚେରୀରେ କଂଗ୍ରେସ ନେତୃତ୍ବାଧୀନ ସରକାର ପାଇଁ ଜଟିଳ ସ୍ଥିତି ଉପୁଜିଛି। ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ କଂଗ୍ରେସର ଜଣେ ଏବଂ ଡିଏମ୍କେର ଜଣେ ବିଧାୟକ ଇସ୍ତଫା ଦେବା ପରେ ଶାସକ କଂଗ୍ରେସ ମେଣ୍ଟର ବିଧାୟକ ସଂଖ୍ୟା ୧୧କୁ ଖସିଆସିଛି। ପୂର୍ବରୁ କଂଗ୍ରେସ-ଡିଏମ୍କେ ସରକାର ସଂଖ୍ୟାଲଘୁ ହୋଇଯାଇଥିବା ବେଳେ ଆଜି ପୁଣି ୨ ବିଧାୟକଙ୍କ ଇସ୍ତଫା ଏହି ସଙ୍କଟକୁ ବଢ଼ାଇ ଦେଇଛି। କଂଗ୍ରେସ ଟିକଟରେ ଚାରି ଥର ବିଧାୟକ ହୋଇଥିବା ଲକ୍ଷ୍ମୀନାରାୟଣନ୍ ରବିବାର ଦଳରୁ ଅଚାନକ ଇସ୍ତଫା ଦେଇଥିବାବେଳେ କଂଗ୍ରେସର ସହଯୋଗୀ ଡିଏମ୍କେ ବିଧାୟକ ଭେଙ୍କଟେଶନ୍ ମଧ୍ୟ କୌଣସି କାରଣ ନ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବିଧାୟକଙ୍କ ଇସ୍ତଫା ପରେ ଶାସକ ମେଣ୍ଟର ସଂଖ୍ୟା ୧୨କୁ ଖସିଛି। ଆଜି ସନ୍ଧ୍ୟାରେ ସମସ୍ତ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ରୁଦ୍ଧଦ୍ବାର ବୈଠକରେ ମିଳିତ ହୋଇଥିଲେ।
ଉପରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ୍ ସୋମବାର ଗୃହରେ ଶକ୍ତି ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଶାସକ ମେଣ୍ଟ ପାଖରେ ସରକାରକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକ ବିଧାୟକ ନଥିବା ବେଳେ ବିରୋଧୀ ଦଳରେ ୧୪ ବିଧାୟକ ଅଛନ୍ତି। ବିଧାୟକଙ୍କ ଇସ୍ତଫା ପରେ ଏବେ ଗୃହରେ ସଦସ୍ୟ ସଂଖ୍ୟା ୨୬କୁ ଖସି ଆସିଛି। ଏଭଳି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ସମ୍ଭାବନା ବଳବତ୍ତର ହୋଇଛି। ଏପ୍ରିଲ-ମେରେ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ସହ ପୁଡୁଚେରୀରେ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ଏଭଳି ସଙ୍କଟ ପାଇଁ ବିରୋଧୀ ଦଳ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏଠାରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି। ଗୋଆ, ମଣିପୁର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଭଳି ପୁଡ଼ୁଚେରୀରେ କେନ୍ଦ୍ର ସରକାର କଂଗ୍ରେସକୁ ହଟାଇବା ପାଇଁ ଚକ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/narayanasamy46-1587228748-1610273913.jpg)