କଂଗ୍ରେସର ଡିଏନ୍‌ଏ ଖରାପ: ମୋଦୀ

ସ୍ମୃତି ଇରାନିଙ୍କ କଟାକ୍ଷ : କହିବା ପାଇଁ ଟ୍ୟୁସନ୍‌ ନେଇଛନ୍ତି ରାହୁଲ

ନୂଆଦିଲ୍ଲୀ: ଇଭିଏମ୍‌କୁ ନେଇ ନିୟମିତ ଭାବେ ଅଭିଯୋଗ ଉଠାଇ ଆସୁଥିବା କଂଗ୍ରେସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଇଭିଏମ୍‌କୁ ନେଇ ସବୁବେଳେ ସରକାରଙ୍କୁ ସମାଲୋଚନା କରିଆସୁଛି। ବିଶେଷକରି ନିର୍ବାଚନ ହାରିବା ପରେ ଦଳ ସବୁ ଦୋଷ ଇଭିଏମ୍‌କୁ ଦେଉଛି। କଂଗ୍ରେସର ଡିଏନ୍‌ଏରେ ଏହି ଦୋଷ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି। ମୋଦୀ କହିଛନ୍ତି, ଗଣତନ୍ତ୍ର ନାମରେ କଂଗ୍ରେସ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ପଛାଉ ନାହିଁ। ଇଭିଏମ୍‌ ଉପରେ ବାରମ୍ବାର ପ୍ରଶ୍ନ ଉଠାଇ ଏହା ନିର୍ବାଚନ କମିସନ୍‌ର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ଅପମାନିତ କରୁଛି। ଏମିତି କି ଏହି ଦଳ ସୁପ୍ରିମ୍‌ କୋର୍ଟ ଏବଂ ସିଏଜି ଭଳି ସଂସ୍ଥାଙ୍କୁ ମଧ୍ୟ ଛାଡୁନାହିଁ। କଂଗ୍ରେସର ଡିଏନ୍‌ଏରେ ଏହି ତ୍ରୁଟିବିଚ୍ୟୁତି ରହିଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ରାଫେଲ୍‌ ଚୁକ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରି ତଦନ୍ତର ଆବଶ୍ୟକତା ନାହିଁ ବୋଲି ରାୟ ଦେବା ପରେ କଂଗ୍ରେସ ଏହାକୁ ସମାଲୋଚନା କରିଥିଲା। ଏମିତି କି ସୁପ୍ରିମ୍‌ କୋର୍ଟ ନିଜର ଏହି ରାୟକୁ ପ୍ରତ୍ୟାହାର କରିନେବା ଆବଶ୍ୟକ ବୋଲି ଦଳ କହିଥିଲା।
ମୋଦୀ କହିଛନ୍ତି, କଂଗ୍ରେସର ଏକ ପୁରୁଣା ଅଭ୍ୟାସ ରହିଆସିଛି। ନିର୍ବାଚନ ଜିତିବା ପରେ ଇଭିଏମ୍‌ ଠିକ୍‌ ଅଛି ବୋଲି ଏହା କହୁଛି। ନିର୍ବାଚନ ହାରିବା ପରେ ମେସିନ୍‌ରେ ତ୍ରୁଟି ଥିବା ଅଭିଯୋଗ କରୁଛି। ଏମିତି କି ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ଏହି ଦଳ ଇଭିଏମ୍‌କୁ ନେଇ ନାନା କଥା କହୁଛି। ନିକଟରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେଇ କଂଗ୍ରେସ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାର ଗଠନ କରିଛି। କିନ୍ତୁ ଏଥର ନିର୍ବାଚନରେ ବ୍ୟବହୃତ ଇଭିଏମ୍‌ ଉପରେ ଦଳ କୌଣସି ନକାରାତ୍ମକ ଟିପ୍ପଣୀ ଦେଇନାହିଁ। ବରଂ ଏହା ଇଭିଏମ୍‌ର ବିଜୟ ବୋଲି ଦଳ କହିଥିଲା।

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ସ୍ବପ୍ନ ଦେଖିବା ଶିଖିଛନ୍ତି। କଥା କେମିତି କହିବାକୁ ହୁଏ, ସେଥିପାଇଁ ତାଙ୍କୁ ଟ୍ୟୁସନ୍‌ କରାଯାଇଛି। ବିଜେପି ‌ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି  ଏଭଳି କଟାକ୍ଷ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଇରାନି କହିଛନ୍ତି, କ’ଣ କହିବା ଉଚିତ ଏବଂ କ’ଣ ଉଚିତ ନୁହେଁ, ସେଥିପାଇଁ ରାହୁଲ ‌ଟ୍ୟୁସନ୍‌ ନେଇଛନ୍ତି। କଂଗ୍ରେସର ଏକ ସଦ୍ୟତମ ଭିଡିଓରେ ସମାନ କଥା ଦେଖିବାକୁ ମିଳିଛି। ଏଥିରୁ ଜଣାପଡୁଛି ଯେ ରାହୁଲ ଆଉ ନିଜ କଥାକୁ ବିଶ୍ବାସ କରୁନାହାନ୍ତି। କହିବା ପାଇଁ ସେ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଏବେ ଦେଶବାସୀଙ୍କୁ ଜାଣିରଖିବା ଉଚିତ ହେବ ଯେ ରାହୁଲ ଏବେ କୌଣସି ରାଜନୈତିକ ସଂକ୍ରାନ୍ତ ପଦବି ପାଇଁ ଯୋଗ୍ୟ ନୁହନ୍ତି।
ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ନେତୃତ୍ବା‌ଧୀନ ନୂଆ ସରକାର କୃଷି ଋଣ ଛାଡ଼ ଘୋଷଣା କରିବା ପରେ କଂଗ୍ରେସର ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ରାହୁଲ ଗଣମାଧ୍ୟମକୁ ଏ ବାବଦରେ ସୂଚନା ଦେଇଥି‌ଲେ। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ କଂଗ୍ରେସ ଯୁବନେତା ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଧିଆ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି। ତାଙ୍କୁ କିଭଳି କହିବାକୁ ହେବ, ସେଥିପାଇଁ ସେ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର