ହିନ୍ଦୁମାନଙ୍କ ବିଷୟରେ ଚିନ୍ତା କରେନି କଂଗ୍ରେସ, ଏହି ଦଳରେ ରହି ମୋର ତିନି ବର୍ଷ ନଷ୍ଟ କରିଛି: ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶେଷରେ କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି। ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଇସ୍ତଫା ପତ୍ର ଦେଇ ଗତକାଲି କଂଗ୍ରେସ ଛାଡ଼ିଥିଲେ ହାର୍ଦ୍ଦିକ। ଦଳରୁ ବିଦାୟ ନେବାର ଗୋଟିଏ ଦିନ ପରେ ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସକୁ ଭୋଟ ଦିଅ ନାହିଁ ବୋଲି କହିଛନ୍ତି।

ଗୁରୁବାର ଦିନ ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଚିନ୍ତା କରିନାହିଁ। କିନ୍ତୁ ଲୋକଙ୍କୁ କହିବାକୁ ଚାହ‌େଁ ଯେ, କଂଗ୍ରେସକୁ ଭୋଟ୍ ଦିଅ ନାହିଁ। କଂଗ୍ରେସ ହିନ୍ଦୁମାନଙ୍କ ବିଷୟରେ ଚିନ୍ତା କରେନି । ଦଳ କେବଳ ଜାତି ଭିତ୍ତିକ ରାଜନୀତି କରିବାକୁ ଚାହୁଁଛି।

୨୦୧୭ ନିର୍ବାଚନରେ ​​ହାର୍ଦ୍ଦିକ ପଟେଲ ଲୋକଙ୍କୁ କଂଗ୍ରେସକୁ ଭୋଟ୍ ଦେବାକୁ କହିଥିଲେ। ହେଲେ ଏବେ ଏଭଳି କରିବାକୁ ମନା କରିଛନ୍ତି। ପଟେଲ କହିଛନ୍ତି, ହିନ୍ଦୁ ପ୍ରସଙ୍ଗକୁ କଂଗ୍ରେସ କେବେ ସମର୍ଥନ କରିନାହିଁ। କଂଗ୍ରେସ ନା ନାଗରିକତା ସଂଶୋଧନ ଆଇନ ଉପରେ ଖୋଲାଖୋଲି ଭାବେ କିଛି କହିଥିଲା ନା ଏବେ ବାରାଣସୀ ମସଜିଦରେ ମିଳିଥିବା ‘ଶିବଲିଙ୍ଗ’ ବିଷୟରେ କିଛି କହୁଛି। ଭାରତରେ ଅନେକ ମହାଦେବ ଭକ୍ତ ଅଛନ୍ତି। ଯଦି ଏକ ମସଜିଦ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଏକ ଶିବଲିଙ୍ଗ ପୁନରୁଦ୍ଧାର କରାଯାଏ, ତେବେ ଏହାକୁ ଆମେ ଖୋଲାଖୋଲି ଭାବେ ସ୍ୱାଗତ କରିବା ଉଚିତ୍। କିନ୍ତୁ ଆମର କଂଗ୍ରେସ ନେତାମାନେ ହିନ୍ଦୁ ସପକ୍ଷରେ ବହାରିବାକୁ କୁଣ୍ଠାବୋଧ କରୁଛନ୍ତି। କଂଗ୍ରେସ କେବଳ ଜାତି ଭିତ୍ତିକ ରାଜନୀତି ଜାଣେ। ମୁଁ ଏହି ପାର୍ଟିରେ ରହି ମୋର ତିନି ବର୍ଷ ନଷ୍ଟ କରିଛି।

ସମ୍ବନ୍ଧିତ ଖବର