ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ବିରୋଧୀ ଦଳ ନେତା ପଦ ହାସଲ କରିବା ପାଇଁ ପର୍ଯ୍ୟାପ୍ତ ନଥିବାରୁ ଏଥିପାଇଁ ଦଳ କୌଣସି ଦାବି କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି। ଗତ ଲୋକସଭାରେ କଂଗ୍ରେସର କେବଳ ୪୪ ସାଂସଦ ଥିବାରୁ ଦଳକୁ ବିରୋଧୀ ଦଳ ନେତା ପଦ ମିଳିନଥିଲା। ଏଥର କଂଗ୍ରେସର ୫୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ୫୪୫ ସଦସ୍ୟ ବିଶିଷ୍ଟ ଗୃହରେ କୌଣସି ଦଳ ବିରୋଧୀ ଦଳ ନେତା ପଦ ହାସଲ କରିବା ପାଇଁ ହେଲେ ଏହାର ୫୫ ଜଣ ସଦସ୍ୟ ରହିଥିବା ଆବଶ୍ୟକ। ଦଳ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ଏ କ୍ଷେତ୍ରରେ ସରକାର ବିରୋଧୀ ଦଳ ନେତା ପଦ କୌଣସି ଦଳକୁ ଦେବେ କି ନାହିଁ ତାହା ନିଜେ ସ୍ଥିର କରିବେ। କଂଗ୍ରେସ ଏ ବାବଦରେ କୌଣସି ଦାବି ଉପସ୍ଥାପନ କରିବ ନାହିଁ ବୋଲି ସେ କହିଛନ୍ତି।

Advertisment

ଆମେଥି ପରାଜୟ ପାଇଁ ଏସ୍‌ପି-ବିଏସ୍‌ପିକୁ ଦାୟୀ କଲା କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ବୈଠକରେ ଆଜି ଦଳ ସଭାପତି ରାହୁଲ ଗାନ୍ଧୀ ସାଂସଦମାନଙ୍କୁ ସଂଘର୍ଷର ମନ୍ତ୍ର ଦେଇଛନ୍ତି। ବିଜେପି ବିରୋଧରେ ଲଢ଼େଇ ପାଇଁ କଂଗ୍ରେସର ୫୨ ସାଂସଦ ଯଥେଷ୍ଟ ଏବଂ ପ୍ରତି ଇଞ୍ଚରେ ଆମକୁ ସଂଘର୍ଷ କରିବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି। ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହୋଇଥିବା ବୈଠକରେ ରାହୁଲ କହିଛନ୍ତି, ସବୁ କଂଗ୍ରେସ ସଦସ୍ୟଙ୍କୁ ମନେ ରଖିବାକୁ ହେବ ଯେ ଆମେ ସମ୍ବିଧାନର ସୁରକ୍ଷା ପାଇଁ ସଂଘର୍ଷ ଜାରି ରଖିଛୁ। କୌଣସି ଭୟ ଓ ଭେଦଭାବ ନଥାଇ ଆମେ ଦେଶବାସୀଙ୍କୁ ପାଇଁ ଲଢ଼ୁଛୁ। ବିଜେପି ସହିତ ପ୍ରତି କ୍ଷେତ୍ରରେ ଲଢ଼େଇ ପାଇଁ କଂଗ୍ରେସର ୫୨ ସାଂସଦ ଯଥେଷ୍ଟ ବୋଲି ରାହୁଲ କହିଛନ୍ତି। ମୋଦୀ ସରକାରଙ୍କୁ ବ୍ରିଟିଶ ଶାସନ ସମୟର ସରକାର ସହିତ ତୁଳନା କରି ରହୁଲ କହିଥିଲେ ଯେ ଏହି ଲଢ଼େଇରେ ଆମକୁ କୌଣସି ସଂସ୍ଥାର ସମର୍ଥନ ମିଳିବ ନାହିଁ, ଏହା ସତ୍ତ୍ବେ ମଧ୍ୟ ଲଢ଼େଇ ଜାରି ରଖିବାକୁ ହେବ ।