“କଂଗ୍ରେସ ଟାଣୁଆ ମୁଖ୍ୟମନ୍ତ୍ରୀମାନଙ୍କୁ ପସନ୍ଦ କରେ ନାହିଁ , ମୋ ପରେ ଅଶୋକ ଗେହଲୋଟଙ୍କ ପାଳି”

ନୂଆଦିଲ୍ଲୀ : “କଂଗ୍ରେସ ଟାଣୁଆ ମୁଖ୍ୟମନ୍ତ୍ରୀମାନଙ୍କୁ ପସନ୍ଦ କରେ ନାହିଁ । ମୋ ପରେ ଅଶୋକ ଗେହଲୋଟଙ୍କ ପାଳି” ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ମୋ କଥା ଲେଖିକି ରଖନ୍ତୁ, ମୋ ପରେ ଅଶୋକ ଗେହଲୋଟଙ୍କ ପାଳି । ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ତାଙ୍କୁ ବିଦା କରାଯିବ ।“

ଅମରିନ୍ଦର ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ଯେପରି ତାଙ୍କୁ ପଛରୁ ଛୁରୀ ମାରିଲା ତାହା ତାଙ୍କୁ ଗଭୀର ଦୁଃଖ ଦେଇଥିଲା ।

ପଂଜାବ ନିର୍ବାଚନ ସଂପର୍କରେ ସେ କହିଛନ୍ତି ଯେ ଏହି ନିର୍ବାଚନରେ କଂଗ୍ରେସ ଦଳ ମୂଳପୋଛ ହୋଇଯିବ । ଆପ ଓ ଅକାଳୀ ଦଳ ପାଇଁ ମଧ୍ୟ କୌଣସି ସୁଯୋଗ ନାହିଁ । ଏଣୁ ତାଙ୍କ ଦଳ ହିଁ ଜିତିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦଳ ପାଇଁ ପଞ୍ଜାବରେ ପ୍ରଚାର କରନ୍ତୁ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳ ଛାଡ଼ିବା ପରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ ନାମକ ଏକ ନୂଆ ଦଳ ଗଠନ କରିଛନ୍ତି । ଏହି ଦଳ ପଞ୍ଜାବର ସବୁ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଏହାସହିତ ବିଜେପି ସହ ମେଣ୍ଟ ବିକଳ୍ପ ବି ଖୋଲା ରଖିଛି ।

ସମ୍ବନ୍ଧିତ ଖବର