କଂଗ୍ରେସରେ ନେତୃତ୍ବ ସଙ୍କଟ: ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦାବି, ସ୍ବର ଉତ୍ତୋଳନ କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦଳର ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବା ଓ ପ୍ରମୁଖ ନେତୃତ୍ବଙ୍କୁ ଭୋଟ୍‌ ଦ୍ବାରା ବାଛିବା‌ ପାଇଁ ଏବେ ଦଳ ଭିତରୁ ସ୍ବର ଉତ୍ତୋଳନ ହୋଇଛି। ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏବେ ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆଙ୍କ ସ୍ବା‌ସ୍ଥ୍ୟାବସ୍ଥା ପ୍ରାୟ ସମୟରେ ଠିକ୍‌ ରହୁନଥିବାରୁ ରାହୁଲ ଗାନ୍ଧୀ ପୁଣିଥରେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି କୁହାଯାଉଛି। ଏହା ମଧ୍ୟ ସ୍ପଷ୍ଟ ହୋଇନି। କିଛି ବରିଷ୍ଠ ନେତା ମଧ୍ୟ ରାହୁଲ ପୁଣିଥରେ ଅଧ୍ୟକ୍ଷ ହେବାକୁ ଚାହୁନାହାନ୍ତି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଏବେ ଦଳ ମଧ୍ୟରୁ ସ୍ବର ଉଠିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ସଭାପତି ପଦ ପାଇଁ ନିର୍ବାଚନ ହେବା ଦରକାର। ଏନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟିକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ୧୦,୦୦୦ ଏଆଇସିସି ଏବଂ ପିସିସି ପ୍ରତିନିଧିଙ୍କ ଦ୍ବାରା ଭୋଟ୍‌ ଗ୍ରହଣ ହେବା ଉଚିତ୍‌। କେବଳ ଦଳୀୟ ମୁଖ୍ୟ ପାଇଁ ନୁହେଁ ବରଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ପାଇଁ ବି ଭୋଟ୍‌ ଗ୍ରହଣ ହେବା ଦରକାର।

ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତ ନିକଟରେ କହିଥିଲେ, କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ବାଦ୍‌ ଦେଇ ନେତୃତ୍ବ ସଙ୍କଟ ଦୂର କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍‌। ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ କହିଛନ୍ତି, ୧୯୯୮ରେ ସୋନିଆ ଅଧ୍ୟକ୍ଷ ହେବାପରଠାରୁ ସିଡବ୍ଲ୍ୟୁସିରେ ମନୋନୟନ ସଂସ୍କୃତି ପାଇଁ ଦଳ ବହୁତ କ୍ଷତି ସହିଛି। ସିଡବ୍ଲ୍ୟୁସିର ୧୦ ସଦସ୍ୟଙ୍କୁ ନିର୍ବାଚିତ କରିବାପାଇଁ ସେ ଦାବି କରିଛନ୍ତି। ପିଭି ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କ ସ‌ମୟରେ ସିଡବ୍ଲ୍ୟୁସିର ୧୦ ଆ‌ସନ ପାଇଁ ଭୋଟ୍‌ ଗ୍ରହଣ ହେଉଥିଲା। ସେଥିପାଇଁ ସେ ସମୟରେ ଭଲ ନେତା ଆସୁଥିଲେ। କିନ୍ତୁ ସୋନିଆ ଦଳର ଅଧ୍ୟକ୍ଷା ହେବାପରଠାରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ହୋଇଗଲା। ଫଳରେ ଭଲ ନେତା ଆସିପାରିଲେନି ବୋଲି ସେ କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରାପ୍ପା ମୋଇଲି କହିଛନ୍ତି, ବର୍ତ୍ତମାନ ସ୍ଥିତି ଆଗକୁ ଜାରି ରହିପାରିବନି। ଦଳ ଏବେ ନେତୃବୃନ୍ଦମାନଙ୍କୁ ଏକଜୁଟ କରି ନେତୃତ୍ବ ସଂକ୍ରାନ୍ତ ନିଷ୍ପତ୍ତି ନେବା ଉଚିତ୍ ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ପ୍ରବକ୍ତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା କଂଗ୍ରେସରେ ନେତୃତ୍ବ ସଂକଟ ଥିବା ବିଷୟକୁ ଅସ୍ବୀକାର କରିଛନ୍ତି। ଦଳର ସଭାପତିଭାବେ ସୋନିଆ ସିଡବ୍ଲ୍ୟୁସି ଦ୍ବାରା ନିର୍ବାଚିତ ହୋଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର