ବିଜେପି ଚାଲ୍‌ରେ ଭୁଶୁଡ଼ୁଛି କଂଗ୍ରେସର ଦୁର୍ଗ, ୭ ବର୍ଷରେ ୯ ସରକାରର ପତନ

ନୂଆଦିଲ୍ଲୀ, ୨୩।୨: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପୁଡୁଚେରିର କଂଗ୍ରେସ ନେତୃତ୍ବାଧୀନ ନାରାୟଣସ୍ବାମୀ ସରକାର ଗତ ସୋମବାର ବିଧାନସଭାରେ ଆସ୍ଥା ପରୀକ୍ଷା ପୂର୍ବରୁ ଆତ୍ମସମର୍ପଣ କରିଦେଲା। ଦଳ ଏଥିପାଇଁ ବିଜେପିର କୁତ୍ସିତ ରାଜନୀତିକୁ ଦାୟୀ କରିଥିଲା ବେଳେ କେନ୍ଦ୍ରୀୟ ନେତୃତ୍ବର ଦୂରଦୃଷ୍ଟି ଅଭାବ ସାଙ୍ଗକୁ ସ୍ଥାନୀୟ ନେତାମାନଙ୍କ କୋହଳ ମନୋଭାବରୁ କଂଗ୍ରେସକୁ ଦକ୍ଷିଣ ଭାରତର ଏକମାତ୍ର ଶାସନାଧୀନ କେନ୍ଦ୍ରଶାସିତ ଅଞ୍ଚଳକୁ ହରାଇବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ତେବେ କେବଳ ପୁଡୁଚେରି କାହିଁକି, ବିଜେପିର ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇ ପୂର୍ବରୁ ଦେଶର ଏହି ଦଳ ଅରୁଣାଚଳ ପ୍ରଦେଶ, ମଣିପୁର, ଗୋଆ, ମେଘାଳୟ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ କ୍ଷମତା ହରାଇଛି। କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବିଜେପିର ରଣନୀତିକୁ କଂଗ୍ରେସ ଠଉରେଇ ପାରିନଥିବା ବେଳେ ଅନ୍ୟ ଚାରିଟି ସ୍ଥାନରେ ଶାସନ କରିବାକୁ ନିଶ୍ଚିତ ଥିବା କଂଗ୍ରେସ କିଛି ନିଷ୍ପତ୍ତି ନେବା ଆଗରୁ ବିଜେପି କ୍ଷମତାକୁ ଭିନ୍ନ ଗୋଟି ଚଳାଇ ହଡ଼ପ କରିନେଇଥିଲା।
ଅରୁଣାଚଳ ପ୍ରଦେଶରେ ୨୦୧୬ ମସିହାରେ ବିଜେପିର ଶାସନ ଦଖଲ ହିଁ ଦଳର ଶ୍ରେଷ୍ଠ ଗୋଟିଚାଳନା ଭାବେ ବିବେଚିତ। ୨୦୧୪ ନିର୍ବାଚନରେ କଂଗ୍ରେସ ସେଠାରେ ୬୦ ଆସନରୁ ୪୪ଟି ଜିତି ଶାସନ କରିଥିଲା। ତେବେ ୨୦୧୬ରେ ବିଦ୍ରୋହୀ ବିଧାୟକ ପେମା ଖଣ୍ଡୁ ଦଳେ ବିଧାୟକଙ୍କୁ ଧରି କଂଗ୍ରେସ ଛାଡ଼ିବା ସହ ନୂଆ ଦଳ ପିପିଏ ଗଢ଼ିଥିଲେ। କିଛି ଦିନ ପରେ ସେ ବିଜେପି ନେତୃତ୍ବାଧୀନ ଉତ୍ତରପୂର୍ବ ଗାଣତନ୍ତ୍ରିକ ମେଣ୍ଟ ସହ ହାତ ମିଳାଇଥିବା ବେଳେ କଂଗ୍ରେସର ଆହ୍ବାନ ପାଇ ସେ ପୁଣି ବିଦ୍ରୋହୀ ବିଧାୟକଙ୍କ ସହ କଂଗ୍ରେସକୁ ଫେରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପରେ ସେ ୪୩ ଜଣ ବିଧାୟକଙ୍କୁ ଧରି ପୁଣି ପିପିଏକୁ ଫେରିଥିଲେ। ଏହାର ମାସକ ପରେ ସେ ୩୩ ଜଣ ବିଧାୟକଙ୍କ ସହ ବିଜେପିରେ ମିଶିଥିଲେ। ୨୦୧୯ ନିର୍ବାଚନରେ ବିଜେପି ସେଠାରେ ଖଣ୍ଡୁଙ୍କ ନେତୃତ୍ବରେ ୪୧ ଆସନ ଜିତି ଶାସନ କରିଥିଲା। ଅପରପକ୍ଷେ, କଂଗ୍ରେସ ମାତ୍ର ୪ଟି ଆସନ ପାଇଥିଲା।
ସେହିପରି ୨୦୧୭ ମଣିପୁର ନିର୍ବାଚନରେ କଂଗ୍ରେସ ମୋଟ ୬୦ ଆସନରୁ ୨୮ଟି ପାଇଥିବା ବେଳେ ବିଜେପି ହାତରେ ୨୧ ଆସନ ପଡ଼ିଥିଲା। ମାତ୍ର ବିଜେପି ଅନ୍ୟ ଦଳଙ୍କ ସହ ସେଠାରେ ମେଣ୍ଟ କରି ଏକକ ସଂଖ୍ୟାଗରିଷ୍ଠ ଦଳ କଂଗ୍ରେସକୁ ମାତ୍‌ ଦେଇଥିଲା। ସେହି ବର୍ଷ ଗୋଆ ନିର୍ବାଚନରେ ମଧ୍ୟ ୪୦ ଆସନରୁ ୧୭ଟି ହାସଲ କରି କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ମାତ୍ର ଶାସନ ପାଇଁ କଂଗ୍ରେସ ଆବଶ୍ୟକ ସଂଖ୍ୟା(୨୧) ହାସଲ କରିବା ଆଗରୁ ମାତ୍ର ୧୩ଟି ଆସନରେ ସୀମିତ ଥିବା ବିଜେପି ଅନ୍ୟମାନଙ୍କୁ ନିଜ ସପକ୍ଷରେ ଟାଣି ବାଜି ମାରିନେଇଥିଲା। ସେହିପରି ୨୦୧୮ ମେଘାଳୟ ନିର୍ବାଚନରେ ମୋଟ ୬୦ ଆସନରୁ କଂଗ୍ରେସ ୨୧ଟି ଜିତିଥିବା ବେଳେ ବିଜେପିକୁ ମାତ୍ର ଦୁଇଟି ମିଳିଥିଲା। ତେବେ ୧୯ଟି ଆସନ ପାଇଥିବା ସହଯୋଗୀ ଏନ୍‌ପିପି ଓ ଅନ୍ୟମାନଙ୍କ ସହ ମେଣ୍ଟ କରି ବିଜେପି ସେଠାରେ କ୍ଷମତା ହାସଲ କରିପାରିଥିଲା।
ଅପରପକ୍ଷେ, ୨୦୧୮ କର୍ଣ୍ଣାଟକ ନିର୍ବାଚନରେ ୨୨୫ ଆସନରୁ ୭୮ଟି ଜିତିଥିବା କଂଗ୍ରେସ ଜେଡିଏସ୍‌ ସହ(୩୪) ମେଣ୍ଟ କରି ସେଠାରେ ବିଜେପିକୁ ଚକମା ଦେଖାଇଥିବା ବେଳେ ତାହା ବେଶୀ ଦିନ ତିଷ୍ଠିନଥିଲା। ସେଠାରେ ୧୦୫ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ରଖିଥିବା ବିଜେପି ଶେଷରେ ଶାସନକୁ ନିଜ ଦଖଲକୁ ନେଇଥିଲା। ତେବେ ମଧ୍ୟପ୍ରଦେଶ କ୍ଷମତା ଦଖଲରେ ବିଜେପିର ଘରଭଙ୍ଗା ନୀତି ସ୍ପଷ୍ଟ ହୋଇଥିଲା। ସେଠାରେ ୨୦୧୮ ନିର୍ବାଚନରେ କଂଗ୍ରେସ ମୋଟ ୨୩୦ ଆସନରୁ ସର୍ବାଧିକ ୧୧୪ ଆସନ ଜିତି ବିଏସ୍‌ପି ଓ ଏସ୍‌ପି ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ଅପରପକ୍ଷେ, ୧୦୬ଟି ଆସନ ଜିତିଥିବା ବିଜେପି ସେଠାରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବା ପାଇଁ କଂଗ୍ରେସର ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥିତ ୨୨ ଜଣ ଦଳୀୟ ବିଧାୟକଙ୍କୁ ଆପଣେଇବା ଯଥେଷ୍ଟ ହୋଇଥିଲା । ତେବେ ଏକ ରିପୋର୍ଟ ଅନୁଯାୟୀ ମୋଦୀ ସରକାର ଗତ ୭ ବର୍ଷ ମଧ୍ୟରେ ୯ଟି ରାଜ୍ୟ ସରକାରର ପତନ ଘଟାଇଛି। ବିଜେପି ସମଗ୍ର ଦେଶକୁ କଂଗ୍ରେସ ମୁକ୍ତ କରି ନିଜ ଦଳର ଶାସନ କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର