କଂଗ୍ରେସ ଅଡ଼ୁଆ ବଢ଼ାଇ‌େଲ ଗୁଲାମନବୀ, ଅଧୀର

‘ଟଙ୍କା ଦେଇ ଲୋକ ଠୁଳ କରୁଛନ୍ତି’

ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ କଶ୍ମୀରର ସୋପିଆନ୍‌ ଅଂଚଳରେ ଲୋକଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ସହିତ ଭୋଜନ କରିବାକୁ ନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ ବିବାଦୀୟ ବୟାନ ଦେଇଛନ୍ତି। ‘ପଇସା ଦେଇ କାହାକୁ ବି ନିଜ ପଟକୁ ଆଣିହେବ’ ବୋଲି ଗୁଲାମନବୀ ଆଜି ଗଣମାଧ୍ୟମକୁ କହିବା ପରେ ଏହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଏନ୍‌ଏସ୍‌ଏ ଡୋଭାଲ ଏବେ କଶ୍ମୀରବାସୀଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଶ୍ବସ୍ତ କରୁଥିବା ବେଳେ କଂଗ୍ରେସ ନେତାମାନେ ବିଭାଜନକାରୀ ବୟାନ ଦେଇ ମାମଲାକୁ ବିଗାଡ଼ୁଛନ୍ତି ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି। ଏହା ସହିତ ଗୁଲାମନବୀଙ୍କ ଏହି ବୟାନ ଭାରତ ବିରୋଧୀ ହୋଇଥିବାରୁ ଏହାକୁ ପାକିସ୍ତାନ ଏକ ଅସ୍ତ୍ର ଭଳି ବ୍ୟବହାର କରିବ ବୋଲି ବିଜେପି ନେତା ଶାହନୱାଜ ହୁସେନ କହିଛନ୍ତି। ଗୁଲାମନବୀଙ୍କ ବିବାଦୀୟ ବୟାନ ପାଇଁ ଆଜି କଂଗ୍ରେସ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛି। ଧାରା ୩୭୦କୁ ନେଇ ଦଳ ଭିତରେ ତୀବ୍ର କନ୍ଦଳ ବଢ଼ି ଚାଲିଥିବା ବେଳେ ଗୁଲାମନବୀ ନିଆଁରେ ଘିଅ ଢ଼ାଳିବା କାମ କରିଛନ୍ତି ବୋଲି ଅନେକ ନେତା ମତ ଦେଇଛନ୍ତି।

ଜମ୍ମୁ କଶ୍ମୀର ଏବେ ‘ବନ୍ଦୀ ଶିବିର’
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନିଜ ବିବାଦୀୟ ବୟାନ ପାଇଁ ବାରମ୍ବାର କଂଗ୍ରେସକୁ ଅଡ଼ୁଆରେ ପକାଉଛନ୍ତି। ଅଧୀର ରଂଜନ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପ୍ରଥମେ ସଂସଦରେ କହିଥିଲେ ଯେ, ଜମ୍ମୁ କଶ୍ମୀର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇପାରିବ ନାହିଁ, କାରଣ ଏହି ବିବାଦ ଜାତିସଂଘରେ ରହିଛି । ୧୯୪୮ରୁ ଜାତିସଂଘ ଏହି ପ୍ରସଙ୍ଗକୁ ଯାଞ୍ଚ କରୁଛନ୍ତି, ତେଣୁ ଏହା କିଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଚୌଧୁରୀ ପ୍ରଶ୍ନ କରିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଅଧୀର ରଂଜନ ଆଜି ପୁଣିଥରେ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସରକାର ବଳପୂର୍ବକ ଜମ୍ମୁ କଶ୍ମୀର ଲୋକମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି ଏବଂ ଜମ୍ମୁ କଶ୍ମୀରକୁ ଏକ ବନ୍ଦୀଶାଳାରେ ପରିଣତ କରିଦେଇଛନ୍ତି। ଅଧୀର ରଂଜନଙ୍କର ଏଭଳି ବୟାନକୁ ଜୋର୍‌ଦାର ବିରୋଧ କରାଯାଉଥିବାରୁ ଏହା ପୁଣିଥରେ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର