କଂଗ୍ରେସର ଅଡ଼ୁଆ ବଢ଼ୁଛି, ମୋଦୀଙ୍କ ସମର୍ଥନରେ ବହୁ ବରିଷ୍ଠ ନେତା

ଜୟରାମଙ୍କ ସହ ସ୍ବର ମିଳାଇଲେ ସିଂଘବୀ, ଥରୁର୍‌

ନୂ୍ଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁ ପ୍ରସଙ୍ଗରେ ସମାଲୋଚନା କରାଯିବା ନେଇ ଏବେ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ଦଳ ସର୍ବଦା ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ଜଣେ ଖଳନାୟକ ଭାବେ ଚିତ୍ରଣ କରୁଛି ଏବଂ ଏଭଳି କରାଯିବା ଉଚିତ ନୁହେଁ ବୋଲି ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଥିବା ବେଳେ ଆଜି ଜୟରାମଙ୍କ ସହ ସ୍ବର ମିଳାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ ଏବଂ ଶଶି ଥରୁର୍‌। ଗତକାଲି ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ କହିଥିଲେ, ମୋଦୀଙ୍କ ଶାସନ ପଦ୍ଧତି ସମ୍ପୂର୍ଣ୍ଣ ଭାବେ ନକାରାତ୍ମକ ନୁହେଁ। ତାଙ୍କ କାର୍ଯ୍ୟକୁ ଭଲଭାବେ ନ ପରଖି ସବୁବେଳେ ତାଙ୍କୁ ଜଣେ ଖଳନାୟକ ଭାବେ ଚିତ୍ରଣ କରିବା ବିରୋଧୀ ଦଳଗୁଡ଼ିକୁ କ୍ଷତି ପହଞ୍ଚାଉଛି। ମୋଦୀଙ୍କ ଦ୍ବାରା ହୋଇଥିବା ଭଲ କାମକୁ ଏବେ ଚିହ୍ନଟ କରିବା ସମୟ ଆସିଛି। ୨୦୧୪ରୁ ୨୦୧୯ ମଧ୍ୟରେ ମୋଦୀଙ୍କ ପ୍ରଥମ ପାଳି ଶାସନ ମଧ୍ୟରେ ସେ କ’ଣ କରିଛନ୍ତି ତାହା ପରଖିବା ଉଚିତ୍‌, କାରଣ ଏହାଦ୍ବାରା ମୋଦୀ ପୁଣିଥରେ କ୍ଷମତାକୁ ଫେରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀଙ୍କୁ ସବୁକଥାରେ ଜଣେ ଖଳନାୟକ ଭାବେ ଚିତ୍ରଣ କରାଯିବା ଆଦୌ ଉଚିତ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତାମାନଙ୍କ ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଛି।

ତେବେ ରମେଶଙ୍କ ସହ ସ୍ବର ମିଳାଇ ସିଂଘବୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ‘ସବୁବେଳେ କହିଛି ମୋଦୀଙ୍କୁ ଖଳନାୟକ କହିବା ଭୁଲ୍‌। ଏକତରଫା ବିରୋଧ ମଧ୍ୟ ମୋଦୀଙ୍କ ପାଇଁ ସବୁବେଳେ ସହାୟକ ହୋଇଆସିଛି। ବିରୋଧୀ ଦଳର ମୋଦୀଙ୍କୁ ସମାଲୋଚନା ବ୍ୟକ୍ତି କୈନ୍ଦ୍ରିକ ନହୋଇ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ହେବା ଉଚିତ୍‌ ବୋଲି ସିଂଘବୀ କହିଛନ୍ତି। ବିଜେପି ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ସଫଳ ଯୋଜନା ମଧ୍ୟରେ ଉଜ୍ଜ୍ବଳା ଯୋଜନା ଅନ୍ୟତମ ବୋଲି ରମେଶଙ୍କ ବୟାନକୁ ସେ ସମର୍ଥନ କରିଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ମଧ୍ୟ ଜୟରାମ ରମେଶଙ୍କ କଥାକୁ ସମର୍ଥନ କରିଛନ୍ତି। ଥରୁର୍‌ କହିଛନ୍ତି, ୬ ବର୍ଷ ଧରି ମୁଁ କହି ଆସୁଛି ଯେ ମୋଦୀଙ୍କ ଭଲ କାମ ପାଇଁ ତାଙ୍କୁ ପ୍ରଶଂସା କରିବା ଉଚିତ୍‌।

ସମ୍ବନ୍ଧିତ ଖବର