ଅମୃତସର : ପଂଜାବ କଂଗ୍ରେସ କନ୍ଦଳର ସମାଧାନ ହେବାପରେ କଂଗ୍ରେସ ଏବେ ରାଜସ୍ଥାନ ଉପରେ ଫୋକସ୍‌ କରିଛି। ଆସନ୍ତା ୨୭ ଏବଂ ୨୮ ତାରିଖରେ କ୍ୟାବିନେଟ୍‌ ସମ୍ପ୍ରସାରଣ ‌ହୋଇପାରେ। ରାଜ୍ୟ କ୍ୟାବିନେଟ୍‌ ସମ୍ପ୍ରସାରଣ ହେଉନଥିବାରୁ ସଚିନ ପାଇଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ମେଣ୍ଟ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ପାଇଲଟ୍‌ଙ୍କ ବିଶ୍ବସ୍ତ ନେତାମାନେ ମଧ୍ୟ ଗେହଲଟ କ୍ୟାମ୍ପ୍‌ର ନେତାଙ୍କ ପକ୍ଷରୁ ଆସୁଥିବା ବାକ୍ୟବାଣ ପାଇଁ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।

Advertisment

ପୂର୍ବରୁ ପାଇଲଟ୍‌ କ୍ୟାମ୍ପ୍‌ର ନେତାଙ୍କ ଆଶା ଥିଲା ଯେ,‌ କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନଙ୍କ ଜୟପୁର ଗସ୍ତ ପରେ ଜୁଲାଇରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇପାରେ। କିନ୍ତୁ ଅଶୋକ ଗେହଲଟ୍‌ଙ୍କ ସହ ଅତି ଘନିଷ୍ଠ ଜଣେ ସ୍ବାଧୀନ ବିଧାୟକ ବାବୁଲାଲ୍‌ ନାଗର ସଚିନ୍‌ ପାଇଲଟଙ୍କ ବିରୋଧରେ ସିଧାସଳଖ ଆକ୍ରମଣ କରିବାପରେ ଏହି ବିଶ୍ବାସ ଏକପ୍ରକାର ମଉଳି ଗଲା। ସଚିନ ପାଇଲଟ୍‌ କଂଗ୍ରେସ ମୁଖ୍ୟ ଥିବାବେଳେ ଦଳକୁ କାହିଁକି ୨୦୧୮ ବିଧାନସଭା ନିର୍ବାଚନରେ କମ୍‌ ଆସନ ମିଳିଲା ବୋଲି ସେ ପ୍ରଶ୍ନ କରିଥିଲେ। ଅନ୍ୟ କିଛି ସ୍ବାଧୀନ ବିଧାୟକ ମଧ୍ୟ ପାଇଲଟ୍‌ଙ୍କୁ ସମାଲୋଚନା କରିଥିଲେ।

କିଛି ନେତା ଦଳ ସହ ବିଶ୍ବାସଘାତକତା କରି ରାଜ୍ୟ ଛାଡ଼ିଥିବାବେଳେ ସେମାନେ ସରକାରକୁ ରକ୍ଷା କରିବାପାଇଁ କଂଗ୍ରେସ ସହ ଠିଆ ହୋଇଥିଲେ ବୋଲି ଗେହଲଟ୍‌ଙ୍କ ସହ ଅତି ଘନିଷ୍ଠ ଥିବା କିଛି ସ୍ବାଧୀନ ବିଧାୟକ କହିଛନ୍ତି। ତେବେ ଏହି କାରଣ ପାଇଁ ପାଇଲଟ୍‌ କ୍ୟାମ୍ପ୍‌ର ନେତାମାନେ ଗେହଲଟ୍‌ କ୍ୟାମ୍ପ୍‌ର ନେତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଇତି ମଧ୍ୟରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ରାଜସ୍ଥାନ ସଙ୍କଟର ଖୁବ୍‌ ଶୀଘ୍ର ସମାଧାନ ଚାହିଛନ୍ତି। ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବାବଦ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖୁବ୍‌ ଶୀଘ୍ର ଦିଲ୍ଲୀ ଗସ୍ତ କରିବେ।