ନୂଆ ସଂସଦ ଭବନ ଉପରେ ଅଶୋକ ସ୍ତମ୍ଭର ଉଦଘାଟନ କଲେ ମୋଦୀ, କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଖପ୍ପା

 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ ସଂସଦ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିରଲା ଉପସ୍ଥିତ ଥିଲେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ବିରୋଧୀ ଦଳ ସାଂସଦମାନଙ୍କୁ ଏହି କାର୍ୟ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ତାହାର ସମାଲୋଚନା କରିଛି । କଂଗ୍ରେସ ନେତା ସଂଦୀପ ଦିକ୍ଷିତ କହିଛନ୍ତି ଯେ ଏକ ନୂଆ ସଂସଦ ଭବନ ନିର୍ମାଣ ହେଉଛି ତାହା ଭଲ କଥା । କିନ୍ତୁ ସଂସଦ କୌଣସି ସରକାର, ରାଜନୈତିକ ଦଳ ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପତ୍ତି ନୁହେଁ । ସଂସଦ ସଂପର୍କିତ ଯେକୌଣସି କାର୍ୟ୍ୟକ୍ରମକୁ ବିରୋଧୀ ଦଳ ନେତାମାନଙ୍କୁ ଡକାଯିବା ଉଚିତ ।

ପ୍ରାୟ ୯୭୧ କୋଟି ଟଙ୍କା ବିନିମୟରେ ନିର୍ମିତ ସଂସଦ ଭବନ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ପୂର୍ବରୁ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହାର ନିର୍ମାଣ କାର୍ୟ୍ୟ ୨୦୨୧ ଜାନୁଆରିରେ ଆରମ୍ଭ ହୋଇଥିଲା । ସେତେବେଳେ ଏହି ପ୍ରକଳ୍ପକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ସମାଲୋଚନା କରିଥିଲେ ।

 

ସମ୍ବନ୍ଧିତ ଖବର