ନୂଆଦିଲ୍ଲୀ : ୨୦୨୧-୨୨ରେ ନିର୍ବାଚନୀ ଟ୍ରଷ୍ଟ୍ ଦ୍ବାରା ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ସମ୍ପୂର୍ଣ୍ଣ ଚାନ୍ଦାର ୭୨.୧୭ ପ୍ରତିଶତ କେବଳ ବିଜେପି ପାଇଛି। ବିଜେପିକୁ ମୋଟ୍ ୩୫୧.୫୦ କୋଟି ଚାନ୍ଦା ମିଳିଛି। ଅନ୍ୟପକ୍ଷେ କଂଗ୍ରେସ ଦଳ ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି), ସମାଜବାଦୀ ପାର୍ଟି, ଆପ୍, ୱାଇଏସ୍ଆରସିଠାରୁ ମଧ୍ୟ କମ୍ ଚାନ୍ଦା ପାଇଛି ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି। କର୍ପୋରେଟ୍ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କଠାରୁ ଚାନ୍ଦା ଆଦାୟ ପାଇଁ ନିର୍ବାଚନୀ ଟ୍ରଷ୍ଟ୍ ବ୍ୟବସ୍ଥା ରହିଛି। ୨୦୨୧-୨୨ରେ ବିଜେପି ନିର୍ବାଚନ ଟ୍ରଷ୍ଟ୍ ଦ୍ବାରା କଂଗ୍ରେସଠାରୁ ୧୯ ଗୁଣା ଅଧିକ ଚାନ୍ଦା ପାଇଛି।
ଏଡିଆର ରିପୋର୍ଟ ଅନୁଯାୟୀ ନିର୍ବାଚନ ଟ୍ରଷ୍ଟ୍ ଦ୍ବାରା କଂଗ୍ରେସକୁ ୧୮.୪୪ କୋଟି ଚାନ୍ଦା ମିଳିଛି। ଅନ୍ୟପକ୍ଷେ ଟିଆରଏସ୍କୁ ୪୦ କୋଟି, ସମାଜବାଦୀ ପାର୍ଟିକୁ ୨୭ କୋଟି, ଆପ୍ ଦଳକୁ ୨୧.୧୨ କୋଟି ଏବଂ ୱାଇଏସ୍ଆର କଂଗ୍ରେସକୁ ୨୦ କୋଟି ଚାନ୍ଦା ମିଳିଛି। ଶିରୋମଣି ଅକାଳି ଦଳକୁ ୭ କୋଟି ଚାନ୍ଦା ମିଳିଥିବାବେଳେ ପଂଜାବ ଲୋକ କଂଗ୍ରେସ ପାର୍ଟିକୁ ୧ କୋଟି ଏବଂ ଗୋଆ ଫରୱାର୍ଡ ପାଟି, ଡିଏମ୍କେକୁ ଯଥାକ୍ରମେ ୫୦ ଲକ୍ଷ ଲେଖାଏଁ ଚାନ୍ଦା ମିଳିଛି। ନିର୍ବାଚନ ଟ୍ରଷ୍ଟ୍ ଦ୍ବାରା ୨୦୨୧-୨୨ରେ ମୋଟ୍ ୪୮୭.୦୯ କୋଟି ଚାନ୍ଦା ଆଦାୟ ହୋଇଛି ଏବଂ ବିଭିନ୍ନ ଦଳ ମାନଙ୍କୁ ଏହାର ୯୯.୯୯ ପ୍ରତିଶତ ତଥା ୪୮୭.୦୬ କୋଟି ଚାନ୍ଦା ଦିଆଯାଇଛି।