ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ଝାଡ଼ଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଏହାକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି । କାରଣ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସର ଭାବମୂର୍ତ୍ତୀ ଉପରେ ସଂକଟ ଆସିଯାଇଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଆକ୍ସନମୁଡକୁ ଚାଲିଆସିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହାଇକମାଣ୍ଡ ଏହି ମାମଲାରେ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟି (ଜେପିସିସି)ଙ୍କୁ ରିପୋର୍ଟ ମାଗିଛନ୍ତି।
ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ଏହାକୁ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ସତର୍କ ହୋଇଯାଇଛନ୍ତି ।
ନିକଟରେ ଆୟକର ବିଭାଗର ଟିମ୍ ଓଡ଼ିଶା ଓ ଝାଡ଼ଖଣ୍ଡରେ ଶ୍ରୀ ସାହୁଙ୍କ ଘରେ ଚଢ଼ାଉ କରି ଆଲମାରୀରେ କୋଟି କୋଟି ଟଙ୍କା ଜବତ କରିଥିଲା। ଆୟକର ବିଭାଗର ଅଧିକାରୀମାନେ ତିନି ଦିନ ଧରି ନୋଟ୍ ଗଣନା କରୁଛନ୍ତି। ଏପର୍ଯ୍ୟନ୍ତ ଗଣା ଚାଲିଛି ଓ କୁହାଯାଉଛି ଯେ ଗଣି ଗଣି ମେସିନ ଖରାପ ହୋଇଯାଉଛି ।
ଆୟକର ଟିମ୍ ଧରଜ ସାହୁଙ୍କ ସହ ଜଡ଼ିତ ଓଡ଼ିଶାର ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ୍ ଲିମିଟେଡ୍ ଓ ଏହାର ସଂପୃକ୍ତ କମ୍ପାନି ଉପରେ ଆୟକର ବିଭାଗ ବୁଧବାର ଚଢ଼ାଉ କରିଥିଲା । ଏତଦ୍ ବ୍ୟତୀତ ଧୀରଜଙ୍କ କମ୍ପାନୀ ବଳଦେବ ସାହୁ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଉପରେ ମଧ୍ୟ ବିଭାଗ ଚଢ଼ାଉ କରିଥିଲା।