୩ ମାସ ଆଗରୁ କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଥିଲା : ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମେ’ ୧୦ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହେବ। ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପିସିସି ସଭାପତି ଡିକେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳ ୩ ମାସ ଆଗରୁ ନିର୍ବାଚନ ପାଇଁ ପ୍ରସ୍ତୁତ ଥିଲା ।

ଅନ୍ୟପକ୍ଷରେ ଶିବକୁମାରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲୋକମାନଙ୍କ ଉପରକୁ ନୋଟ୍ ଉଡାଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ମଙ୍ଗଳବାର ମାଣ୍ଡ୍ୟା ଜିଲ୍ଲାରେ ହୋଇଥିବା ଡିକେ ଶିବକୁମାରଙ୍କ ପ୍ରଜା ଧ୍ବନି ରାଲିର ବୋଲି କୁହାଯାଉଛି । ଭିଡିଓରେ ଦେଖାଯାଉଛି ଯେ, ସେ ଏହି ରାଲିରେ ଲୋକଙ୍କ ଉପରକୁ ୫୦୦-୫୦୦ ଟଙ୍କିଆ ନୋଟ୍ ଉଡ଼ାଉଛନ୍ତି ।

କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପରିଚିତ ଶିବକୁମାର ଶକ୍ତିଶାଳୀ ଭୋକାଲିଗା ସମ୍ପ୍ରଦାୟର ଗଡ଼ କୁହାଯାଉଥିବା ମାଣ୍ଡ୍ୟାରେ ବ୍ୟାପକ ପ୍ରଚାର କରୁଛନ୍ତି । ଏହି ଅଂଚଳ ଜନତା ଦଳ (ସେକ୍ୟୁଲାର)ର ଗଡ଼ ରହିଆସିଛି । ୨୦୧୮ ନିର୍ବାଚନରେ ଜେଡିଏସ୍ ଜିଲ୍ଲାର ୭ଟି ଆସନରେ ବିଜୟୀ ହୋଇଥିଲା। ଏଥର ଏହି ଦୁର୍ଗ ଭେଦ କରିବାକୁ କଂଗ୍ରେସ ଉଦ୍ୟମ କରୁଛି ।

 

୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ କଂଗ୍ରେସ ନିଜର ପ୍ରଥମ ତାଲିକାରେ ୧୨୪ ଜଣ ପ୍ରାର୍ଥୀ ଘୋଷଣା କରିଛି। ଚଳିତ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୨୧ ଟି ଆସନ ରହିଛି । କଂଗ୍ରେସର ୭୦ ଓ ଜେଡିଏସ୍ ପାଖରେ ୩୦ ଆସନ ରହିଛି। ୨୦୧୮ରେ ବିଜେପି ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ଓ ଜେଡିଏସ୍ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ଓ ଜେଡିଏସ୍ ସରକାର ଭାଙ୍ଗିବା ପରେ ବିଜେପି ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କୁ ପରେ ମନ୍ତ୍ରୀ କରାଯାଇଥିଲା ।

ସମ୍ବନ୍ଧିତ ଖବର