ଆର୍ଥିକ ସଂକଟରେ କଂଗ୍ରେସ ଦଳ, କେହି ଚାନ୍ଦା ଦେଉ ନାହାନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଦଳ ପାଖରେ ନିର୍ବାଚନ ଲଢିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ନାହିଁ । ଦଳ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । ଏଥିପାଇଁ ବିଭିନ୍ନ ରାଜ୍ୟର ରାଜଧାନୀରେ ଥିବା ପ୍ରଦେଶ କଂଗ୍ରେସ ଅଫିସ ଗୁଡିକୁ ଦଳ ନିୟମିତଭାବେ ଟଙ୍କା ପଠାଇପାରୁନାହିଁ । ଏପରିକି ଗ୍ରସ୍ତ ଖର୍ଚ୍ଚ, ଚା ଖର୍ଚ୍ଚ ପାଇଁ ମଧ୍ୟ ଯଥେଷ୍ଟ ଟଙ୍କା ଦେଇପାରୁନାହିଁ ଦଳ । ଏକଥା ସ୍ୱୀକାର କରିଛନ୍ତି ଦଳର ଆଇଟି ମୁଖ୍ୟ ଦିବ୍ୟାସ୍ପନ୍ଦନା ରମ୍ୟା । ତେବେ ଦଳର ଆର୍ଥିକ ସଂକଟର କାରଣ କଣ ? ଏହାର କାରଣ ହେଉଛି ଦଳ ଏବେ କେନ୍ଦ୍ରରେ ଶାସନ କ୍ଷମତାରେ ନାହିଁ । ଆହୁରି ମଧ୍ୟ ଏହି ଦଳ ଏବେ ଦେଶର ମାତ୍ର ଦୁଇଟି ବଡ଼ ରାଜ୍ୟ ( ପଂଜାବ ଓ କର୍ଣ୍ଣାଟକରେ ) ଅଛି । କର୍ଣ୍ଣାଟକରେ ଦଳ ହାତରୁ ଶାସନଗାଦି ଯାଉ ଯାଉ ରକ୍ଷା ପାଇଯାଇଛି । ଏହି କାରଣରୁ ଦଳ ପାଖକୁ ଯଥେଷ୍ଟ ଚାନ୍ଦା ଆସୁନାହିଁ । ଶିଳ୍ପ ସଂସ୍ଥା ମାନେ ପୂର୍ବରୁ ଯେଉଁଭଳି ଚାନ୍ଦା ଦେଉଥିଲେ ଏବେ ଦେଉନାହାନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ଆରମ୍ଭ ହୋଇଥିବା ନିର୍ବାଚନୀ ବଣ୍ଡ ବାବଦରୁ ମଧ୍ୟ ଆଶାନୁରୂପ ଅର୍ଥ ଆସୁନାହିଁ । ଏହି କାରଣରୁ ଦଳ ଆସନ୍ତା ବର୍ଷ କିପରି ନିର୍ବାଚନ ଲଢିବ ତାହାକୁ ନେଇ ଚିନ୍ତାରେ ପଡିଯାଇଛି । ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସର ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ କଂଗ୍ରେସର ଆୟ ମାତ୍ର ୨୨୫ କୋଟି ଥିବାବେଳେ ବିଜେପିର ଆୟ ୮୧ ପ୍ରତିଶତ ବୃଦ୍ଧି ପାଇ ୧୦୩୪ କୋଟିରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର