ରାଜନୈତିକ ଫାଇଦା ପାଇଁ କଂଗ୍ରେସ ଦେଶରେ ହିଂସାକାଣ୍ଡ ସୃଷ୍ଟିକରୁଛି : ମୋଦୀ

ରାଞ୍ଚି : ଦେଶରେ ନାଗରିକତା ଆଇନ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବାବେଳେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାଡ଼ଖଣ୍ଡରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି ଯେ ଏହି ଆଇନ ମାନବିକତା ଦୃଷ୍ଟିକୋଣରୁ ପ୍ରଣୟନ କରାଯାଇଛି । ଏହା ଦ୍ୱାରା ଆମ ଦେଶର କୌଣସି ସଂପ୍ରଦାୟ ବା ଧର୍ମର ନାଗରିକ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ । କିନ୍ତୁ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ କଂଗ୍ରେସ ଏହାକୁ ନେଇ ମିଥ୍ୟା ପ୍ରଚାର କରୁଛି,ଏହାକୁ ନେଇ ସେମାନେ ସାରା ଦେଶରେ ହିଂସା ସୃଷ୍ଟି କରୁଛନ୍ତି । ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସେମାନେ ମୁସଲିମମାନଙ୍କୁ ଦେଶ ବିରୁଦ୍ଧରେ ଉସୁକାଉଛନ୍ତି ।

ଦେଶର ଛାତ୍ରସମାଜକୁ ସମ୍ବୋଧନ କରି ସେ କହିଛନ୍ତି ଯେ ସେମାନେ ନିଜ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ବୁଝିବା ଆବଶ୍ୟକ । ସେମାନେ ସହରୀ ନକ୍ସଲଙ୍କ ହାତବାରିସି ହୁଅନ୍ତୁ ନାହିଁ । ଯଦି ସେମାନଙ୍କର କୌଣସି ସରକାରୀ ନୀତିକୁ ନେଇ ଆପତ୍ତି ଅଛି ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିପାରିବେ । ସରକାରଙ୍କ ନିକଟରେ ସେମାନେ ନିଜର ଆପତ୍ତି ଅଭିଯୋଗକୁ ପହଞ୍ଚାଇପାରିବେ । ସେ କହିଛନ୍ତି ଯେ କଂଗ୍ରେସ, ବାମପନ୍ଥୀ ଓ ଆରଜେଡ଼ି ସବୁବେଳେ ଲୋକମାନଙ୍କୁ ଡରାଇ ଆସିଛନ୍ତି । ଝାଡ଼ଖଣ୍ଡ ପ୍ରଦେଶ ଗଠନ ହେବାବେଳେ ମଧ୍ୟ ସେମାନେ ସରଳ ଆଦିବାସୀମାନଙ୍କୁ ଡରାଇଥିଲେ । କିନ୍ତୁ ବିଜେପିର ଉଦ୍ୟମ ଫଳରେ ଝାଡ଼ଖଣ୍ଡରେ ଆଜି ଅନେକ ବିକାଶ ହୋଇପାରିଛି ।

ସମ୍ବନ୍ଧିତ ଖବର