୮ଟି ଚିତାଙ୍କୁ ଭାରତ ଆଣିବାର ଶ୍ରେୟ ନେବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭ୍ୟାସଗତ ମିଛୁଆ କହିଲେ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ନାମିବ୍ୟାରୁ ୮ଟି ଚିତା ଭାରତ ଆସିଥିଲେ। ଭାରତରେ ଚିତା ଲୋପ ପାଇଥିବା ବେଳେ ଏହି ୮ଟି ଚିତାକୁ ଭାରତ ଅଣାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ‘କୁନୋ ଜାତୀୟ ଉଦ୍ୟାନ’ରେ ଛାଡ଼ିବା ସହ କହିଥିଲେ, ଏଥିରେ କୌଣସି ରାଜନୈତିକ ଫାଇଦା ନାହିଁ। କିନ୍ତୁ ୭୦ ବର୍ଷ ପରେ ଭାରତକୁ ଚିତା ଆଣିବାକୁ ସୁନିଶ୍ଚତ କରିବା ପାଇଁ ଆମେ ଅନେକ ବର୍ଷ ଧରି ଚେଷ୍ଟା କରିଛୁ। ଏଭଳି କହି ନିଜ ସରକାରଙ୍କୁ ଶ୍ରେୟ ଦେଇଥିବାରୁ ଏବେ କଂଗ୍ରେସର ଟାର୍ଗେଟକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ।

କଂଗ୍ରେସ ନେତା ଜୟରାମ ରମେଶ ରବିବାର ଦିନ ଟ୍ୱିଟରରେ ଏକ ଚିଠି ସେୟାର କରି ଲେଖିଛନ୍ତି ଯେ, କଂଗ୍ରେସ ସରକାର ୨୦୦୯ରେ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାକୁ ଭାରତ ଆଣିବା ପାଇଁ ପୂର୍ବ ସରକାର କୌଣସି ଗଠନମୂଳକ ଉଦ୍ୟମ କରିନଥିବା କହି ନିଜକୁ ଅଭ୍ୟାସଗତ ମିଛୁଆ ବୋଲି ପ୍ରମାଣ କରିଛନ୍ତି।

ଗତକାଲି  ‘କୁନୋ ଜାତୀୟ ଉଦ୍ୟାନ’ରେ ୮ଟି ଚିତାକୁ ଛାଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ୭ଦଶନ୍ଧି ପୂର୍ବରୁ ଦେଶରୁ ବିଲୁପ୍ତ ହେବା ପରେ ବି ଚିତାକୁ ଭାରତ ଆଣି ପୂର୍ବରୁ କେନ୍ଦ୍ରରେ ଥିବା ସରକାର କୌଣସି ପ୍ରୟାସ କରିନଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନର ଜବାବରେ ଟ୍ବିଟ କରିଛନ୍ତି ଜୟରାମ ରମେଶ। ସେ ଲେଖିଛନ୍ତି, ଏହା ହେଉଛି ସେହି ଚିଠି ଯାହା ମାଧ୍ୟମରେ ୨୦୦୯ରେ ‘ପ୍ରୋଜେକ୍ଟ ଚିତା’ ଆରମ୍ଭ ହୋଇଥିଲା। ଆମର ପ୍ରଧାନମନ୍ତ୍ରୀ ହେଉଛନ୍ତି ଅଭ୍ୟାସଗତ ମିଛୁଆ। ଗତକାଲି ‘ଭାରତ ଯୋଡା ଯାତ୍ରା’ରେ ବ୍ୟସ୍ତ ଥିବାରୁ ମୁଁ ଏହି ଚିଠି ଦେଇପାରି ନଥିଲି।

ସମ୍ବନ୍ଧିତ ଖବର