ନୂଆଦିଲ୍ଲୀ: ଦୀର୍ଘ ଆଲୋଚନା ଓ କସରତ ପରେ ଶେଷରେ କର୍ଣ୍ଣାଟକର କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟା ସରିଛି। ଆସନ୍ତା ୬ ତାରିଖରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବା ସହ ନବ ନିଯୁକ୍ତ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ଆଜି କର୍ଣ୍ଣାଟକର ଜେଡିଏସ୍‌ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଓ କଂଗ୍ରେସ ବିଧାୟକ ଦଳ ନେତା କେସି ଭେନୁଗୋପାଲ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ କଂଗ୍ରେସ ୨୨ଟି ଆସନ ପାଇଛି। ଏଥିସହ ଗୃହ, ଜଳସେଚନ, ସ୍ୱାସ୍ଥ୍ୟ, କୃଷିି, ମହିଳା ଓ ଶିଶୁ ବିକାଶ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ କଂଗ୍ରେସ ପାଖକୁ ଯାଇଛି। ସେହିପରି ମିଳିତ ମନ୍ତ୍ରିମଣ୍ଡଳରେ ଜେଡିଏସ୍‌ ଭାଗରେ ପଡ଼ିଛି ୧୨ଟି ଆସନ। ଏବଂ ଜେଡିଏସ୍‌ ଭାଗରେ ପଡ଼ିଛି ଅର୍ଥ, ଅବକାରୀ, ଗୃହନିର୍ମାଣ, ଶିକ୍ଷା, ପର୍ଯ୍ୟଟନ ଓ ପରିବହନ ପରି ବିଭାଗମାନ।

Advertisment

ମନ୍ତ୍ରିମଣ୍ଡଳରେ ଉଭୟ ଦଳ ମଧ୍ୟରେ ସମନ୍ଵୟ ରକ୍ଷା ଲାଗି ଏକ ସମନ୍ଵୟ କମିଟି ମଧ୍ୟ ଗଠିତ ହୋଇଛି। ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ସର୍ବନିମ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ତାହାରି ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦଳ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ମଧ୍ୟ ଉଭୟ ଦଳ ଏକାଠି ହୋଇ ମିଳିତ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କର୍ଣ୍ଣାଟକର ଜେଡିଏସ୍‌ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଓ କଂଗ୍ରେସ ବିଧାୟକ ଦଳ ନେତା କେସି ଭେନୁଗୋପାଲ ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

publive-image

publive-image

publive-image