ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏବେ କଂଗ୍ରେସ ବିଧାୟକମାନେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ଅସ୍ଥିର କରି ଏହାର ପତନ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଅନ୍ୟପକ୍ଷରେ ଗୋଆରେ କଂଗ୍ରେସର ମୋଟ ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ରାଜ୍ୟରେ କଂଗ୍ରେସର ଦୁର୍ବଳ ନେତୃତ୍ବ ଏବେ ଦଳ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ତେବେ ବିଧାୟକଙ୍କ ଏଭଳି ବିଦ୍ରୋହ କଂଗ୍ରେସରେ ନୂଆ ନୁହେଁ। କର୍ଣ୍ଣାଟକ ଓ ଗୋଆ ଭଳି ଆହୁରି ୫ଟି ରାଜ୍ୟରେ କଂଗ୍ରେସ ବିଧାୟକମାନେ ବିଜେପିକୁ ସହାୟତାର ହାତ ବଢ଼ାଇ ଦଳ ଛାଡ଼ିଛନ୍ତି।

Advertisment

ଅରୁଣାଚଳ ପ୍ରଦେଶ
୨୦୧୫-୧୬ରେ କଂଗ୍ରେସ ବିଧାୟକମାନଙ୍କ ବିଦ୍ରୋହ ଅରୁଣାଚଳ ସରକାରକୁ ଅସ୍ଥିର କରିଦେଇଥିଲା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। କଂଗ୍ରେସର ୨୧ ଜଣ ବିଧାୟକ ଦଳ ବିରୋଧରେ ବିଦ୍ରୋହ କରିବାରୁ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ମାମଲା ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ନବାମ ତୁକିଙ୍କ ସରକାର ପୁନଃ ଅବସ୍ଥାପିତ ହୋଇଥିଲେ ମଧ୍ୟ ପରିସ୍ଥିତି ଏଭଳି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଦଳ ଛାଡ଼ି ବିଜେପିର ସହଯୋଗୀ ଦଳ ପିପୁଲ୍‌ସ ପାର୍ଟିରେ ଯୋଗ ଦେଇଥିଲେ।

ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡରେ ୨୦୧୬ରେ ୯ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଏବଂ ୨୬ ଜଣ ବିଜେପି ବିଧାୟକ ତତ୍କାଳୀନ ରାଜ୍ୟପାଳ କେ.କେ. ପଲ୍‌ଙ୍କୁ ଭେଟି କଂଗ୍ରେସ ସରକାରକୁ ବରଖାସ୍ତ କରିବା ପାଇଁ ଦାବି କରିଥିଲେ। ୭୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟ ସରକାର ପାଇଁ ମହଙ୍ଗା ପଡ଼ିଥିଲା। ହରିଶ ରାୱତଙ୍କ ସରକାର ଆସ୍ଥା ଭୋଟ ଲୋଡ଼ିବାର ଦିନକୁ ପୂର୍ବରୁ ରାଜ୍ୟପାଳ ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ।

ମଣିପୁର
୨୦୧୬ରେ ମଣିପୁରର ବରିଷ୍ଠ କଂଗ୍ରେସ ନେତା ବିରେନ୍‌ ସିଂହ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରି ବିଜେପି ସହିତ ହାତ ମିଳାଇଥିଲେ। ବିରେନ୍‌ ସିଂହ ଏବଂ ହିମନ୍ତ ବିଶ୍ବାସ ଶର୍ମା କଂଗ୍ରେସର ସ୍ଥିତିକୁ ଦୁର୍ବଳ କରିଦେଇଥିଲେ ଏବଂ ମାର୍ଚ୍ଚ ୨୦୧୭ ନିର୍ବାଚନରେ ବିଜେପି ୬୦ ଆସନ ବିଶିଷ୍ଟ ବିଧାନସଭାରେ ୨୧ ଆସନରେ ବିଜୟୀ ହୋଇଥିଲା । ଏହାପରେ ୮ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଥିଲେ ।

ଗୁଜରାଟ
୨୦୧୭ ବିଧାନସଭା ନିର୍ବାଚନରେ ଅଳ୍ପେଶ ଠାକୁରଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେଇ କଂଗ୍ରେସ ଦଳ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲା। କିନ୍ତୁ ଦୁଇ ବର୍ଷ ପରେ ଏବେ ଅଳ୍ପେଶ କଂଗ୍ରେସ ଛାଡ଼ି ଦେଇଛନ୍ତି ଏବଂ ବିଜେପିରେ ଯୋଗ ଦେବାକୁ ତୟାର ରହିଛନ୍ତି। କଂଗ୍ରେସର ବିପର୍ଯ୍ୟୟ ପାଇଁ ଅଳ୍ପେଶ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଏବେ ଅଳ୍ପେଶଙ୍କ ସହିତ କଂଗ୍ରେସର ୧୫ ବିଧାୟକ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର
ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ରାଧାକୃଷ୍ଣ ଭିଖେ ପାଟିଲ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ବିଜେପି-ଶିବସେନା ସରକାରରେ ମନ୍ତ୍ରୀ ଅଛନ୍ତି। ମହାରାଷ୍ଟ୍ରର ଆଉ ଜଣେ କଂଗ୍ରେସ ବିଧାୟକ ଅବଦୁଲ ସତାର ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ତୟାର ରହିଛନ୍ତି। ଅବଦୁଲଙ୍କ ସମେତ ଆଗକୁ ଆଉ ୧୦ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

କର୍ଣ୍ଣାଟକ
କର୍ଣ୍ଣାଟକରେ ମେ’ ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୭୮ ଆସନରେ ବିଜୟୀ ହୋଇଥିଲା। ସରକାର ଗଠନ ପାଇଁ ବିଜେପିକୁ ମାତ୍ର ୮ଟି ଆସନ ଦରକାର ପଡ଼ୁଥିଲେ ମଧ୍ୟ ଏହା ସରକାର ଗଠନ କରିପାରିନଥିଲା। କଂଗ୍ରେସ ୩୭ ଆସନରେ ବିଜୟୀ ହୋଇଥିବା ଜେଡିଏସ୍‌ ସହ ହାତ ମିଳାଇ ସରକାର ଗଠନ କଲା। ଏବେ ୧୫ ଜଣ କଂଗ୍ରେସ ବିଧାୟକ ଏବଂ ୩ ଜଣ ଜେଡିଏସ୍‌ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ରାଜ୍ୟ ସରକାରକୁ ସଂଖ୍ୟାଲଘୁରେ ପରିଣତ କରିଛନ୍ତି। ବିଧାୟକଙ୍କ ଇସ୍ତଫା ପରେ ଏବେ ବିଧାନସଭାରେ ୨୦୬ ସଦସ୍ୟ ରହିଥିବା ବେଳେ ବିଜେପି ପାଖରେ ୧୦୪ ବିଧାୟକ ଅଛନ୍ତି।

ଗୋଆ
୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ମୋଟ ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦୁଇ ଦିନ ତଳେ ବିଜେପିରେ ସାମିଲ ହୋଇଯାଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳର ମାନ୍ୟତା ହାସଲ କରିଥିବା କଂଗ୍ରେସ ପାଖରେ ମାତ୍ର ୫ ବିଧାୟକ ଅଛନ୍ତି।