ଅହମ୍ମଦାବାଦ: ନିଜର ବୈବାହିକ ଜୀବନକୁ ନେଇ ବିବାଦରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭାରତସିଂହ ସୋଲଙ୍କି ଆଜି କହିଛନ୍ତି ଯେ ସେ କିଛି ସମୟ ସକ୍ରିୟ ରାଜନୀତିରୁ ବିରତି ନେଉଛନ୍ତି। ଏହି ସମୟରେ ସେ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଥିଲେ। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନରେ ବିବାଦର ଖବର ଶୁଣିବାକୁ ମିଳୁଛି | ସୂଚନା ଥାଉ କି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କ ପୁଅ ଭରତସିଂହ ସୋଲଙ୍କି (୬୯) ତାଙ୍କ ପ୍ରେମିକାଙ୍କ ଘରେ ଥିବାବେଳେ ତାଙ୍କ ପତ୍ନୀ ରେଶମା ସୋଲଙ୍କି ଏହାର ପର୍ଦ୍ଦାଫାଶ କରିଥିଲେ |

Advertisment

ଆଉ ରେଶମାଙ୍କ ଏହି ଅଭିଯୋଗର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଆଜି ଭରତସିଂହ କହିଛନ୍ତି ଯେ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ପାଇବାକୁ ଅପେକ୍ଷା କରିଛନ୍ତି, ଯିଏ କେବଳ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ କେବଳ ତାଙ୍କ ସମ୍ପତ୍ତି ପାଇବାକୁ ଆଗ୍ରହୀ ଅଛନ୍ତି | ଯେତେବେଳେ କରୋନା କାରଣରୁ ସେ ଗୁରୁତର ଅସୁସ୍ଥ ଥିଲେ, ସେତେବେଳେ ତାଙ୍କ ପତ୍ନୀ ଭାବୁଥିଲେ ଯେ କିଭଳି ତାଙ୍କର ଶୀଘ୍ର ମୃତ୍ୟୁ ହୋଇଯାଉ |

ସେ କହିଛନ୍ତି ଯେ ୧୫ ବର୍ଷ ଧରି ତାଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ୧୯୯୨ ମସିହାରୁ ରାଜନୀତିରେ ଅଛନ୍ତି ଏବଂ ଦଳର ରାଜ୍ୟ ମୁଖ୍ୟଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ରହିଆସିଛନ୍ତି। ବର୍ତ୍ତମାନ ତାଙ୍କର ବିରୋଧୀମାନେ ବ୍ୟକ୍ତିଗତ ପ୍ରସଙ୍ଗ ସାମ୍ନାକୁ ଆଣି ତାଙ୍କର ୩୦ ବର୍ଷର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଭରତସିଂହ ସୋଲଙ୍କି କହିଛନ୍ତି |