ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ ହୋଇଛନ୍ତି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି | ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଘରେ ସଙ୍ଗରୋଧରେ ଥିବା କହିଛନ୍ତି |

ସେ ଟୁଇଟ୍‌ରେ ଲେଖିଛନ୍ତି ଯେ, “ମୋର କରୋନା ରିପୋର୍ଟ ପଜିଟିଭ ଆସିଛି | ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘରେ ସଙ୍ଗରୋଧରେ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସଂସ୍ପର୍ଶରେ ଆସିଥିଲେ ସେମାନେ ଦୟାକରି କରୋନା ପ୍ରୋଟୋକଲ୍ ଅନୁସରଣ କରନ୍ତୁ।”

ଗୁଲାମ ନବୀ ଆଜାଦ, କରୋନା ଆକ୍ରାନ୍ତ ହୋଇଥିବା ଅନ୍ୟ ବରିଷ୍ଠ ଜାତୀୟ ନେତାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି | ଅକ୍ଟୋବର ୧୪ରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ କରୋନା ଆକ୍ରାନ୍ତ ହୋଇଥିଲେ | ତାଙ୍କୁ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିବା ଜଣା ପଡ଼ିଥିଲା |

ନିକଟରେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ | ତାଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତ ଦୁଇ ମାସ ମଧ୍ୟରେ କରୋନା ଆକ୍ରାନ୍ତ ହୋଇସାରିଛନ୍ତି |

ସମ୍ବନ୍ଧିତ ଖବର