ମୋଦୀ-ମୋଦୀ କହୁଥିବା ଲୋକେ ଦିନେ ମହଙ୍ଗା-ମହଙ୍ଗା ଚିତ୍କାର କରିବେ: କହ୍ନୈୟା କୁମାର

ନୂଆଦିଲ୍ଲୀ: ମୋଦୀ-ମୋଦୀ କହୁଥିବା ଲୋକେ ଦିନେ ମହଙ୍ଗା-ମହଙ୍ଗା ଚିତ୍କାର କରିବେ। ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଏଭଳି କହିଛନ୍ତି କଂଗ୍ରେସ ନେତା କହ୍ନୈୟା କୁମାର। ଦରବୃଦ୍ଧି ଓ ବେରୋଜଗାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ କରିବା ସହ କହ୍ନୈୟା ଏଭଳି କହିଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶରେ ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଆଗର ମାଲବା ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକଙ୍କ ସାମ୍ନା କରିବାକୁ ପଡ଼ିଥିଲା। ଯେତେବେଳେ ରାହୁଲ ଗାନ୍ଧୀ ଏବଂ ଏହି ଯାତ୍ରା ସହ ଜଡିତ ଅନ୍ୟ ନେତାମାନେ ଜିଲ୍ଲାର ସାୟତ କାଲାରେ ଥିଲେ, କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା କହ୍ନୈୟା କୁମାର ଦେବରୀଘାଟରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଆମେ ଏହାକୁ ନେଇ ଚିନ୍ତିତ ନୁହଁ। କାରଣ ଆମେ ଜାଣିଛୁ ଯେ, ଯେଉଁମାନେ ଆଜି ମୋଦୀ-ମୋଦୀ ସ୍ଲୋଗାନ ଦେଉଛନ୍ତି, କିଛି ଦିନ ପରେ ସେମାନେ ମହଙ୍ଗା ମହଙ୍ଗା ଚିତ୍କାର କରିବେ। ଏବେ ‘ମୋଦୀ ହେ ତୋ ମୁମୁକିନ ହେ’ କହୁଥିବା ଲୋକ ଆଗକୁ ‘ମୋଦୀ ହେ ତୋ ମହଙ୍ଗାଇ ହେ’ କହିବେ। ଆମର ସଂକଳ୍ପ ହେଉଛି କୌଣସି ବି ପରିସ୍ଥିତିରେ ଆମେ ଦେଶକୁ ଭାଗ ଭାଗ ହେବାକୁ ଦେବୁନି। ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଆମେ ଭାରତକୁ ଯୋଡ଼ିବୁ।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଏବଂ ଏହି ଯାତ୍ରା ସହ ଜଡିତ ଅନ୍ୟ ନେତାମାନେ ଆଗର ମାଲବା ଜିଲ୍ଲାର ସାୟତ କାଲାରେ ଥିଲେ, କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ପ୍ରଥମେ ରାହୁଲ ଗାନ୍ଧୀ ଏବଂ ତାଙ୍କ ସହ ଥିବା ନେତାମାନେ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଯାତ୍ରାରେ ଯୋଗଦେବାକୁ କହିଥିଲେ। କିନ୍ତୁ ଯେତେବେଳେ ଲୋକମାନେ ସ୍ଲୋଗାନ ଦେବା ବନ୍ଦ କରିନଥିଲେ, ରାହୁଲ ଗାନ୍ଧୀ ସେମାନଙ୍କୁ ଏକ ନିଆରା ଢ଼ଙ୍ଗରେ ଉତ୍ତର ଦେଇଥିବା‌ ଦେଖାଯାଇଥିଲା। ରାହୁଲ ମୋଦୀ-ମୋଦୀ ସ୍ଲୋଗାନ ଦେଉଥିବା ଲୋକମାନଙ୍କୁ ଫ୍ଲାଇଙ୍ଗ କିସ୍ ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର