ଲୋକସଭା ଆସନ ସଂଖ୍ୟା ୧୦୦୦ କରିବାକୁ ସରକାର କରିଛନ୍ତି ଷଡ଼ଯନ୍ତ୍ର, କଂଗ୍ରେସ ଆଣିଲା ଏଭଳି ଅଭି‌ଯୋଗ

ନୂଆଦିଲ୍ଲୀ: ସଂସଦ ପାଇଁ ନିର୍ମାଣ ହେଉଥିବା ସେଣ୍ଟ୍ରାଲଭିଷ୍ଟା ପ୍ରୋଜେକ୍ଟରେ ଲୋକସଭା ସାଂସଦଙ୍କ ପାଇଁ ରହିଛି ୧ ହଜାର ଆସନ। ଏହାକୁ ନେଇ କଂଗ୍ରେସ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି। କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଦାବି କରିଛନ୍ତି କି ବିଜେପି ସରକାର ଲୋକସଭାରେ ସଭ୍ୟସଂଖ୍ୟା ବୃଦ୍ଧି କରିବାକୁ ନେଇ ଏକ ପ୍ରସ୍ତାବ ଆଣିବାକୁ ଯାଉଛି । ଏହାସହ ସେ ଆହୁରି ଦାବି କରିଛନ୍ତି କି ସଭ୍ୟସଂଖ୍ୟା ବୃଦ୍ଧି ପ୍ରସ୍ତାବ ଆଣିବା ପୂର୍ବରୁ ସରକାର ସଂସଦରେ ଏକ ନୂଆ ଚେମ୍ବର ନିର୍ମାଣ କରୁଛନ୍ତି । ଏହାକୁ ନେଇ ତିୱାରୀ କହିଛନ୍ତି କି ଯଦି ଏଭଳି ପ୍ରସ୍ତାବ ସରକାର ଆଣିବାକୁ ଯାଉଛନ୍ତି ତେବେ ତହା ପୂର୍ବରୁ ଲୋକଙ୍କ ମତ ନେବାର ଆବଶ୍ୟକତା ରହିଛି ।

ମନିଷ ତିୱାରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “ମୋତେ ବିଜେପି ସଂସଦୀୟ ସହଯୋଗୀଙ୍କ ଦ୍ୱାରା ଗୁପ୍ତ ସୂଚନା ମିଳିଛି କି ସରକାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭାର ସଦସ୍ୟ ସଂଖ୍ୟା ୧ ହଜାର କିମ୍ବା ତା ଠାରୁ ଅଧିକ କରିବା ଭଳି ପ୍ରସ୍ତାବ ରହିଛି ” । ଅନ୍ୟପଟେ ମନୀଷ ତାଙ୍କ ଦାବିକୁ ପ୍ରମାଣ କରିବାକୁ ଯାଇ ନୂଆ ସଂସଦ ଭବନ ନିର୍ମାଣରେ ଲୋକସଭା ସାଂସଦଙ୍କ ପାଇଁ ୧ ହଜାର ଆସନ ନିର୍ମାଣ କରାଯାଉଥିବା କଥା କହିଛନ୍ତି । ସେ କହିଛନ୍ତି କି, ଏଭଳି କରିବା ପୂର୍ବରୁ ସରକାର ସାଧାରଣରେ ପରାମର୍ଶ ନେବା ଉଚିତ ।

ମନୀଷ ତିୱାରୀଙ୍କ ଟ୍ୱିଟକୁ ସମର୍ଥନ କରି କାର୍ତ୍ତୀ ଚିତାମ୍ବରମ ବି ଏକ ଟ୍ୱିଟ୍ କରିଛନ୍ତି । ସେ ବି କହିଛନ୍ତି କି ସରକାର ଏଭଳି କରିବା ପୂର୍ବରୁ ଦେଶବାସୀ ଓ ସବୁ ରାଜନୈତିକ ଦଳର ପରାମର୍ଶ ନେବା ଉଚିତ୍ । ସେ କହିଛନ୍ତି କି ଏତେ ବଡ଼ ଜନସଂଖ୍ୟା ରାଷ୍ଟ୍ରରେ ଲୋକପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି କିନ୍ତୁ ଏହା ଯଦି ଜନସଂଖ୍ୟା ଆଧାରରେ କରାଯାଏ ତେବେ ଦକ୍ଷିଣ ଭାରତରେ ଲୋକପ୍ରତିନିଧିଙ୍କ ସଂଖ୍ୟା କମିବାର ଆଶଂକା ରହିଛି। ଯାହାକି ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।

କହିରଖୁ କି, ସମ୍ବିଧାନ ମୁତାବକ ଲୋକସଭାରେ ସର୍ବାଧିକ ୫୫୨ ସଦସ୍ୟ ହୋଇପାରିବେ । ଏହାମଧ୍ୟରୁ ରାଜ୍ୟମାନଙ୍କରୁ ୫୩୦ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୨୦ ଜଣ ସଦସ୍ୟ ରହିପାରିବେ । ଅନ୍ୟପଟେ ୨ ଜଣ ଆଙ୍ଗଲୋଇଣ୍ଡିଆନଙ୍କୁ ରାଷ୍ଟ୍ରପତି ଚୟନ କରି ଲୋକସଭାକୁ ନିର୍ବାଚିତ କରିପାରିବେ । ୧୯୭୭ ମସିହାରେ ଶେଷଥର ପାଇଁ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଥିଲା । ସେପଟେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ବେଳେ ଲୋକସଭାରେ ଆସନ ସଂଖ୍ୟା ୧ ହଜାରକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ବନ୍ଧିତ ଖବର