ହରିୟାଣାରେ କଂଗ୍ରେସ ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ : ହରିୟାଣାର କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଆଜି ୨ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ବିକାଶ ଫରିଦାବାଦ୍‌ରେ ଏକ ଜିମ୍‌ରୁ ଫେରୁଥିବାବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଲଗାତାର ଆଖିବୁଜା ଗୁଳି ଚାଳନା କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍‌ ନିଆଯାଇଥି‌ଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜିମ୍‌ କ୍ୟା‌ମେରାରୁ ଦେଖିବାକୁ ମିଳିଛି ଯେ ବିକାଶ ଜିମ୍‌ରୁ ବା‌ହାରି ପାର୍କିଂରେ ଥିବା ତାଙ୍କ କାର୍‌ରେ ଯାଇ ବସିଥିବାବେଳେ ହଠାତ୍‌ ଦୁଇଜଣ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ବିକାଶ ଚୌଧୁରୀ ହରିୟାଣା କଂଗ୍ରେସ ମୁଖ୍ୟ ଅଶୋକ ତନୱାରଙ୍କ ଘନିଷ୍ଠ ଥିଲେ। ତେବେ କଂଗ୍ରେସ ଆଜି ଉକ୍ତ ଘଟଣାର ତୀବ୍ର ବିରୋଧ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ସ୍ପଷ୍ଟ ଦିବାଲୋକରେ ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରୁ ସ୍ପଷ୍ଟ ଅନୁମେୟ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି।

ସମ୍ବନ୍ଧିତ ଖବର