ଶିଖ୍‌ ବିରୋଧୀ ଦଙ୍ଗା ମାମଲା : ସାରା ଜୀବନ ଜେଲରେ ରହିବେ କଂ‌ଗ୍ରେସ ନେତା ସଜ୍ଜନ କୁମାର

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆଜି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂ‌ଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦଙ୍ଗାକୁ ବ୍ୟାପକ କରିବା ପାଇଁ ଅନ୍ୟମାନଙ୍କୁ ଉସୁକାଇବା ଏବଂ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ସଜ୍ଜନଙ୍କୁ ହତ୍ୟା ଅଭିଯୋଗରୁ ଦୋଷମୁକ୍ତ କରାଯାଇଛି। ସଜ୍ଜନଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ସହର ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଜି ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ‌ରେ କଂଗ୍ରେସ ସରକାର ଦାୟିତ୍ବ ଗ୍ରହଣ କରିଥିବା ବେଳେ ଶିଖ୍‌ ବିରୋଧୀ ଦଙ୍ଗାର ଏକ ଗୁରୁତ୍ବପୂର୍ଣ୍ଣ ରା‌ୟ କଂଗ୍ରେସ ପାଇଁ ବଡ଼ ଝଟ୍‌କା ସଦୃଶ ହୋଇଛି। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ୧୯୪୭ରେ ଦେଶ ବିଭାଜନ ବେଳେ ଯେଉଁଭଳି ଭାବେ ଲୋକଙ୍କୁ ହତ୍ୟା କରାଯାଇଥିଲା ଠିକ୍‌ ୩୭ ବର୍ଷ ପରେ ଦିଲ୍ଲୀ‌ରେ ଏହି ଘଟଣାର ପୁନରାବୃତ୍ତି ଘଟିଥିଲା। ଅଭିଯୁକ୍ତମାନେ ରାଜନୈତିକ ପତିଆରାର ଫାଇଦା ଉଠାଇ ବିଚାରପ୍ରକ୍ରିୟାରୁ ବର୍ତ୍ତିଚାଲିଥିଲେ। ବିଚାରପତି ଏସ୍‌ ମୁରଲିଧର ଏବଂ ବିଚାରପତି ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସଜ୍ଜନ କୁମାରଙ୍କ ସମେତ କ୍ୟାପଟେନ୍‌ ଭାଗମଲ, ଗିରିଧାରୀ ଲାଲ୍‌, ବଲୱାନ ଖୋକରଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି।

ଅନ୍ୟପକ୍ଷରେ କିଷନ ଖୋକରେନ୍‌ ଏବଂ ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ଦୀର୍ଘ ୩୪ ବର୍ଷ ପରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀସାବ୍ୟସ୍ତ ହୋଇଥିବା ବେଳେ ପୂର୍ବରୁ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଦେଇଥିଲେ। ନଭେମ୍ବର ୧, ୧୯୮୪ ରେ ଦିଲ୍ଲୀର ରାଜନଗର ଅଞ୍ଚଳରେ ୫ ଜଣ ଶିଖ୍‌ଙ୍କୁ ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କୁ ତଳକୋର୍ଟ ଦୋଷମୁକ୍ତ କରିବା ପରେ ସିବିଆଇ ଏହାକୁ ହାଇକୋର୍ଟରେ ଚାଲେଂଜ କରିଥିଲା। ଶିରୋମଣି ଅକାଳି ଦଳ ନେତା ମଞ୍ଜିନ୍ଦର ସିଂହ ଶୀର୍ଷା ହାଇକୋର୍ଟ ରାୟକୁ ସ୍ବାଗତ କରିଛନ୍ତି ଏବଂ ସଜ୍ଜନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ନମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର