ଇସ୍ତଫା ଫେରାଇ ନେବା ପାଇଁ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ : ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ଆଲୋଚନା ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ରାଜି କରାଇବାରେ ଲାଗି ପଡ଼ିଛନ୍ତି। ଏ ନେଇ ଆଜି ନୂଆଦିଲ୍ଲୀରେ ତୁଗଲକ୍ ରୋଡ୍ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଆମରଣ ଅନଶନରେ ବସିଥିବା ଜଣାପଡ଼ିଛି । ସେମାନେ ରାହୁଲଙ୍କୁ ଇସ୍ତଫା ଫେରାଇନେବାକୁ ଦାବି କରୁଛନ୍ତି । ତାଙ୍କ କହିବାନୁସାରେ, ରାହୁଲ ଗାନ୍ଧି କ୍ଷୁବ୍ଧ ଅଛନ୍ତି ଓ ଏପର୍ଯ୍ୟନ୍ତ ଇସ୍ତଫା ପତ୍ର ଫେରାଇ ନାହାନ୍ତି ।

କର୍ଣ୍ଣାଟକର ବାଙ୍ଗାଲୁରୁରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ଇସ୍ତଫା ଫେରାଇନେବା ପାଇଁ ପାର୍ଟି ଅଫିସ ବାହାରେ ପ୍ରଦର୍ଶନ କରୁଛନ୍ତି । କାର୍ଯ୍ୟକର୍ତ୍ତାଙ୍କ କହିବାନୁସାରେ, ଯେପର୍ଯ୍ୟନ୍ତ ରାହୁଲ ନ ମାନନ୍ତି ସେପର୍ଯ୍ୟନ୍ତ ସେମାନେ ଧାରଣାରେ ବସି ରହିବେ । ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମନେଇବା ପାଇଁ ଉତ୍ତରପ୍ରଦେଶର କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ରକ୍ତରେ ଚିଠି ଲେଖି ଇସ୍ତଫା ନ ଦେବା ପାଇଁ ଦାବି କରିଥିବା ଜଣାପଡ଼ିଛି । ରାହୁଲ ଗାନ୍ଧି ଇସ୍ତଫା ଦେବା ବିଷୟରେ ଭାବନ୍ତୁ ନାହିଁ । ଆମେ ମିଶିକି ପାର୍ଟିକୁ  ଛିଡା କରିବୁ ଏବଂ ପାର୍ଟି ପାଇଁ କାମ କରିବୁ ବୋଲି କାର୍ଯ୍ୟକର୍ତ୍ତାମାନେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର