ହିଜାବ ନ ପିନ୍ଧିଲେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥାଏ: କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଣ୍ଡ ଟେକିଥିବା ହିଜାବ ବିବାଦକୁ ନେଇ କର୍ଣ୍ଣାଟକର ଜଣେ କଂଗ୍ରେସ୍ ନେତା ବିବାଦୀୟ ବୟାନ ଦେଇଛନ୍ତି। ରିପୋର୍ଟ ଅନୁସାରେ କଂଗ୍ରେସ ନେତା ଜମିର ଅହମ୍ମଦ ଜଣେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ହିଜାବର ଅର୍ଥ ଇସ୍ଲାମରେ ପରଦା। ହିଜାବର ଉପଯୋଗ ମହିଳାମାନଙ୍କ ସୁନ୍ଦରତାକୁ ଲୁଚେଇବା ପାଇଁ ହୋଇଥାଏ। ହିଜାବ ନ ପିନ୍ଧିଲେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥାଏ।

ଜମିର ଅହମ୍ମଦ ଏକ ମିଡିଆକୁ କହିଛନ୍ତି, ସେମାନଙ୍କ ଘରେ ବୋଧେ ମହିଳା କିମ୍ଵା ବାଳିକା ଥିବେ କି ନାହିଁ ମୁଁ ଜାଣିନାହିଁ। ତାଙ୍କ ଘରେ ଯଦି ମହିଳା କିମ୍ବା ବାଳିକା ଥାଆନ୍ତେ ତେବେ ହିଜାବ ପିନ୍ଧିବାର ଅର୍ଥ ବୁଝି ପାରିଥାନ୍ତେ। ଏହାର ଅର୍ଥ ହେଉଛି ଝିଅ ଯେତେବେଳେ ବଡ ହୋଇଯାଏ ତାକୁ ପରଦାରେ ରଖାଯାଏ। ସେ ସୁନ୍ଦର ଦେଖାଯାଏ, ଯାହା ଦେଖା ନଯିବା ଉଚିତ। ତାର ସୁନ୍ଦରତାକୁ ଲୁଚାଇ ରଖିବା ପାଇଁ ପରଦାର ବ୍ୟବହାର କରାଯାଏ।

ସେ ପୁଣି କହିଛନ୍ତି, ଭାରତରେ ଦୁଷ୍କର୍ମ ଏକ ବଡ ସମସ୍ୟା। ଦୁଷ୍କର୍ମ ହେବାର କାରଣ କଣ ? ଦୁଷ୍କର୍ମ ହେବାର କାରଣ ହେଉଛି ମହିଳାମାନଙ୍କୁ ପରଦାରେ ରଖାଯାଉ ନାହିଁ। ହିଜାବ ପିନ୍ଧିବାର ପରମ୍ପରା ଏଥର ସୃଷ୍ଟି ହୋଇନାହିଁ ଓ ଏହା ଦରକାରୀ ମଧ୍ୟ ନୁହେଁ। ଯାହାକୁ ସୁରକ୍ଷିତ ରହିବାର ଅଛି, ଯାହାକୁ ନିଜର ସୁନ୍ଦରତାକୁ ଅନ୍ୟମାନଙ୍କୁ ଦେଖାଇବାର ନାହିଁ ସେମାନେ ହିଜାବ ପିନ୍ଧନ୍ତି। ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ଏହାକୁ ବର୍ଷବର୍ଷ ଧରି ପିନ୍ଧାଯାଇ ଆସୁଛି।

ସମ୍ବନ୍ଧିତ ଖବର