ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ ରୋହିତ ଶର୍ମାଙ୍କ ସଂପର୍କରେ କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ଦେଇଥିବା ଟିପ୍ପଣୀ ବିବାଦୀୟ ହୋଇଛି। ସାମାଜିକ ଗଣମାଧ୍ୟମରେ ଶାମା କହିଛନ୍ତି, ରୋହିତ ଶର୍ମା ମୋଟା ଏବଂ ସେ ଓଜନ କମାଇବାର ଆବଶ୍ୟକତା ରହିଛି। ସେ ମଧ୍ୟ ଶର୍ମାଙ୍କୁ ଭାରତର ସବୁଠାରୁ ଅନାକର୍ଷଣୀୟ ଅଧିନାୟକ ବୋଲି କହିଛନ୍ତି। ତାଙ୍କର ଏହି ପୋଷ୍ଟ୍କୁ ନେଇ ବିବାଦ ହେବାପରେ ସେ ପୋଷ୍ଟ୍ ଡିଲିଟ୍ କରିଦେଇଛନ୍ତି। ଟିଏମ୍ସି ସାଂସଦ ସୌଗତ ରାୟ କିନ୍ତୁ ଶାମାଙ୍କ ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, ଶାମା କିଛି ଖରାପ କହିନାହାନ୍ତି। କାରଣ ରୋହିତଙ୍କ ପ୍ରଦର୍ଶନ ଭଲ ରହୁନାହିଁ।
କ୍ରୀଡ଼ା ମନ୍ତ୍ରୀ କହିଲେ ଅତ୍ୟନ୍ତ ଦୁଃଖଦାୟକ
ମନ୍ତବ୍ୟରୁ ଦୂରେଇ ରହିଲା କଂଗ୍ରେସ
ଅନ୍ୟପକ୍ଷରେ ଟିପ୍ପଣୀ ପାଇଁ ଶାମାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଶାମାଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ରାଜନେତାମାନେ ଖେଳାଳିଙ୍କ ବୃତ୍ତିଗତ ଜୀବନରୁ ଦୂରେଇ ରହିବା ସହ ସେମାନଙ୍କ ଉଦ୍ୟମକୁ ସମ୍ମାନ ଦେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। କଂଗ୍ରେସ ଏବଂ ଟିଏମ୍ସି ଖେଳାଳିଙ୍କୁ ଏକା ଛାଡ଼ିଦେବା ଉଚିତ। ଏହି ଦଳର ନେତାମାନେ ଜଣେ ବ୍ୟକ୍ତିଙ୍କର ଶରୀରର ଗଠନକୁ ନେଇ ନିନ୍ଦା କରିବା ଏବଂ ଟିମ୍ରେ ଖେଳାଳିଙ୍କ ସ୍ଥିତିକୁ ନେଇ ପ୍ରଶ୍ନ କରିବା କେବଳ ଲଜ୍ଜାଜନକ ନୁହେଁ ବରଂ ଏହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଟିପ୍ପଣୀ ବିଶ୍ବ ମଞ୍ଚରେ ଦେଶକୁ ପ୍ରତିନିଧିତ୍ବ କରୁଥିବା ଆମ କ୍ରୀଡ଼ାବିତଙ୍କ କଠିନ ପରିଶ୍ରମ ଏବଂ ତ୍ୟାଗର ଅସମ୍ମାନ କରୁଛି ବୋଲି ମାଣ୍ଡଭୀୟ କହିଛନ୍ତି।
ଏହି ଘଟଣାକୁ ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ହରଭଜନ ସିଂହଙ୍କ ପର୍ଯ୍ୟନ୍ତ କ୍ରୀଡ଼ାବିତମାନେ ଶାମାଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି। ଗାଭାସ୍କର କହିଛନ୍ତି, ଯଦି ତୁମେ ପତଳା ପିଲା ଚାହୁଛ ତାହାଲେ ମଡେଲଙ୍କୁ ଚୟନ କର। ହରଭଜନ ସିଂହ ଏହି ବିବାଦକୁ ଦୁର୍ଭାଗ୍ୟଜନକ ଏବଂ ଅବାଞ୍ଛିତ ବୋଲି ମତ ଦେଇଛନ୍ତି। ରୋହିତ ଜଣେ ଅତି ଉଚ୍ଚକୋଟିର ଖେଳାଳି ଏବଂ ଅଦ୍ବିତୀୟ ଅଧିନାୟକ । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଅନେକ ଅବଦାନ ରହିଛି ବୋଲି ସେ କହିଛନ୍ତି। ବିସିସିଆଇ ସଂପାଦକ ଦେବଜିତ ସାଇକିଆ ମଧ୍ୟ ଶାମାଙ୍କ ମନ୍ତବ୍ୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ବିବାଦ ବଢ଼ିବାରୁ ଶାମା କହିଛନ୍ତି, ଜଣେ ଖେଳାଳିଙ୍କ ଫିଟନେସ୍ ଉପରେ ଏହା ଏକ ସାଧାରଣ ଟିପ୍ପଣୀ ଥିଲା। ଏହା ଶରୀର ଗଠନକୁ ନେଇ କୌଣସି ନିନ୍ଦା ନଥିଲା। ମୁଁ ସବୁବେଳେ ବିଶ୍ବାସ କରେ ଯେ ଖେଳାଳୀମାନେ ଫିଟ୍ ରହିବା ଉଚିତ। ଇତି ମଧ୍ୟରେ କଂଗ୍ରେସ ଦଳ ଶାମା ମହମ୍ମଦଙ୍କ ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖିଛି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି, ଶାମାଙ୍କ ଟିପ୍ପଣୀ ତାଙ୍କ ଦଳର ସ୍ଥିତିକୁ ପ୍ରତିଫଳନ କରୁନାହିଁ।