ପ୍ରସ୍ତାବ ମିଳିବା ପରେ ବି ନେତାଙ୍କ ଅବସର ବୟସ ସ୍ଥିର କରିବନି କଂଗ୍ରେସ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା ଦଳ
ନୂଆଦିଲ୍ଲୀ: କଂଗ୍ରେସ ବର୍ତ୍ତମାନ ନିଜ ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ୍ ବୟସର ନେତାମାନଙ୍କୁ ସଂଗଠନର ପ୍ରତ୍ୟେକ ସ୍ତରରେ ୫୦ ପ୍ରତିଶତ ପଦ ଦେବା ନେଇ ନିଷ୍ପତ୍ତି ନିଆଯିବା ପରେ ଦଳ ଅବସର ବୟସ ବିଷୟରେ ଆଲୋଚନା କରିବା ଛାଡି ଦେଇଛି। ୫୦ପ୍ରତିଶତ ପଦବୀ ଯୁବ ନେତାମାନଙ୍କୁ ଦିଆଯାଉଥିବା ବେଳେ ଏଭଳି ପରିସ୍ଥିତିରେ ବୟସ ସୀମା ସ୍ଥିର ହେଲେ ଅଭିଜ୍ଞ ଲୋକଙ୍କ ପାଇଁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଭାବି କଂଗ୍ରେସ ବୟସ ସୀମା ସ୍ଥିର କରୁନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଦଳର ଯୁବ ବ୍ୟାପାର କମିଟି ଉଦୟପୁର ଚିନ୍ତନ ଶିବରରେ ସକ୍ରିୟ ରାଜନୀତିରୁ ୬୫ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ଅବସର ଦେବାକୁ ପରାମର୍ଶ ଦେଇଥିଲା। କିନ୍ତୁ ୫୦% ପଦବୀ ଯୁବପିଢ଼ିଙ୍କ ପାଇଁ ସଂରକ୍ଷିତ ହେବା ପରେ ଏହି ପ୍ରସ୍ତାବ ବର୍ତ୍ତମାନ ସଂରକ୍ଷିତ ରଖାଯାଇଛି।
ଦେଖିବାକୁ ଗଲେ କଂଗ୍ରେସରେ ଏକାଧିକ ବୟସ୍କ ନେତା ରହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୭୬ ବର୍ଷ ହୋଇଥିବା ବେଳେ ରାଜ୍ୟସଭାରେ ଦଳର ନେତା ଖଡଗେଙ୍କୁ ୭୯ବର୍ଷ ବୟସ ହେଲାଣି। ଗୁଲାମ ନବୀ ଆଜାଦ, ପି ଚିଦାମ୍ବରମ, ଦିଗବିଜୟ ସିଂ ଏବଂ ଅମ୍ବିକା ସୋନିଙ୍କ ସମେତ ଅନେକ ନେତାଙ୍କ ବୟସ ୬୫ପାର କଲାଣି। ଯଦି ବୟସ ଦେଖି କଂଗ୍ରେସ ନେତାଙ୍କୁ କାଢ଼ିବା ଆରମ୍ଭ କରେ, ତେବେ ସକ୍ରିୟ ରାଜନୀତିରେ ଥିବା ଅନେକ ନେତା ଦଳରୁ ବାହାରି ଯିବେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବେ ଏହି ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେବାକୁ ମନା କରିଛି।।