ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି।

Advertisment

ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗ‌ୌରବ ପାନ୍ଧୀ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’କୁ ସମାଲୋଚନା କରି କହିଥିଲେ କି, ଭାରତ ଛାଡ଼ ଆନ୍ଦୋଳନ ସମୟରେ ବାଜପେୟୀ ‘ବ୍ରିଟିସ୍‌ ସୂଚନାଦାତା’ ଭାବେ କାର୍ଯ୍ୟ କରୁଥିଲେ।

ସମ୍ପ୍ରତି ଡିଲିଟ୍‌ ହୋଇସାରିଥିବା ଏ ଟୁଇଟ୍‌ ପ‌ୋଷ୍ଟ୍‌ରେ ପାନ୍ଧୀ କହିଥିଲେ, ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର ବାକି ସମସ୍ତ ସଦସ୍ୟଙ୍କ ଭଳି ୧୯୪୨ରେ ଅଟଳବିହାରୀ ବାଜପେୟୀ ଭାରତ ଛାଡ଼ ଆନ୍ଦୋଳନ ବର୍ଜନ କରି ଜଣେ ବ୍ରିଟିସ୍‌ ସୂଚନାଦାତାଙ୍କ ଭଳି କାମ କରିବା ସହିତ ଆନ୍ଦୋଳନରେ ଭାଗ ନେଇଥିବା ବ୍ୟକ୍ତିଙ୍କ ବିଷୟରେ ରିପୋର୍ଟ ଦେଉଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ସେ ନେଲି ନରସଂହାର ହେଉ ଅଥବା ବାବ୍ରି ଧ୍ବଂସ ହେଉ, ଉତ୍ତ୍ୟକ୍ତ ଜନତାଙ୍କୁ ଉସ୍‌କାଇବାରେ ବାଜପେୟୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହି କାରଣରୁ ଆଜି ‘ବିଜେପି’ ନେତାମାନେ ସବୁବେଳେ ମୋଦୀଙ୍କୁ ଗାନ୍ଧୀଙ୍କ ସହିତ ତୁଳନା କରୁଛନ୍ତି। ପଟେଲ କିଂବା ଅନ୍ୟ କଂଗ୍ରେସ ନେତା କିଂବା ସବର୍‌କର୍‌, ବାଜପେୟୀ କିଂବା ଗୋଲ୍‌ୱାକର୍‌ଙ୍କ ସହିତ ତୁଳନା କରୁ ନାହାନ୍ତି। ସେମାନେ ବାସ୍ତବ କଥା ଜାଣିଛନ୍ତି।

publive-image Image Courtesy of News9live

ଉଲ୍ଲେଖଯୋଗ୍ୟ, ‘ଭାରତ ‌ଯୋଡ଼ୋ ଯାତ୍ରା’ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’ ପରିଦର୍ଶନରେ ଯାଇ ରାହୁଲ୍‌ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା କାର୍ଯ୍ୟକ୍ରମର ପ୍ରଚାର ପାଇଁ କଂଗ୍ରେସ ବ୍ୟସ୍ତ ଥିବା ବ‌େଳେ ପାନ୍ଧୀ ଉପରୋକ୍ତ ଟୁଇଟ୍‌ ପୋଷ୍ଟ୍‌ କରିଥିଲେ।

‘ବିଜେପି’ର ଜାତୀୟ ମୁଖପାତ୍ର ଶେହଜାଦ୍‌ ପୂନାୱାଲା କହିଛନ୍ତି ଯେ, ଟୁଇଟ୍‌ ଡିଲିଟ୍‌ କରିଦେବା ଯଥେଷ୍ଟ ନୁହେଁ। କଂଗ୍ରେସ ଏହାର ସ୍ପଷ୍ଟୀକରଣ ଦେବା ସହିତ ପାନ୍ଧୀଙ୍କ ଟିପ୍ପଣୀ ଲାଗି କ୍ଷମାଭିକ୍ଷା କରୁ।

publive-image Image Courtesy of Zee News

ପାନ୍ଧୀଙ୍କୁ ବହିଷ୍କାର କରାଯାଉ ବୋଲି ଆହ୍ବାନ ଦେଇ ସେ ପୁଣି କହିଛନ୍ତି, ତାହା ନ ହେଲେ ଆମେ ବିଶ୍ବାସ କରିବୁ ଯେ, ଏହି ଟିପ୍ପଣୀର ପାନ୍ଧୀ ଲେଖିଛନ୍ତି ସତ, କିନ୍ତୁ ଏହାର ପରିକଳ୍ପନା କରିଛନ୍ତି ରାହୁଲ୍‌ ଗାନ୍ଧୀ।

କଂଗ୍ରେସରୁ ବାହାରି ଯାଇ ‘ବିଜେପି’ରେ ଯୋଗ ଦେଇଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ଜିତିନ ପ୍ରସାଦ ଟୁଇଟ୍‌ କରି କହିଛନ୍ତି, ଜାତିପ୍ରତି ଅଦମ୍ୟ ପ୍ରତିବଦ୍ଧତା ନିମନ୍ତେ ଅଟଳଜୀଙ୍କ ପରି ନେତା ରାଜନୈତିକ ମତଭେଦ ନିର୍ବିଶେଷରେ ସମ୍ମାନ ଅର୍ଜନ କରିବା ସହିତ ଭାରତବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ପାନ୍ଧୀଙ୍କ ଏଭଳି ମନ୍ତବ୍ୟ ଦଳରୁ ଔପଚାରିକ ଅନୁମୋଦନ ପାଇଥିଲା ତ?