ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ‘ହ୍ବାଇ ଆଇ କିଲ୍ଡ ଗାନ୍ଧୀ’ ସିନେମା ନିଷିଦ୍ଧ କରିବା ପାଇଁ କଂଗ୍ରେସ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଅନୁରୋଧ କରିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍କୁ ଏନେଇ ଏକ ଚିଠି ପଠାଇଛନ୍ତି। ସିନେମାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଜଣେ ହିରୋ ଭାବେ ଚିତ୍ରଣ କରାଯିବା ବିଷୟ ଅଗ୍ରହଣୀୟ ଏବଂ ଏହା ଦଳର ଭାବାବେଗକୁ ଆଘାତ ଦେଇଛି ବୋଲି ପାଟୋଲ କହିଛନ୍ତି। ତେଣୁ କଂଗ୍ରେସ ମହାରାଷ୍ଟ୍ରରେ ଏବଂ ଓଟିଟି ପ୍ଲାଟଫର୍ମରେ ଏହି ସିନେମା ନିଷିଦ୍ଧ କରିବା ପାଇଁ ଦାବି କରିଛି।
ସେହିଭଳି ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଉକ୍ତ ସିନେମା ଦେଶବ୍ୟାପୀ ନିଷିଦ୍ଧ କରିବା ପାଇଁ ଆବେଦନ କରିଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀକୁ ଏଥିରେ ଏକ ପ୍ରକାର ପ୍ରଶଂସା କରାଯାଇଥିବାରୁ ସଂଘ ଉକ୍ତ ସିନେମାକୁ ବିରୋଧ କରିଛି। ଉଲ୍ଲେଖଯୋଗ୍ୟ ଯେ, ‘ହ୍ବାଇ ଆଇ କିଲ୍ଡ ଗାନ୍ଧୀ’ର ଟ୍ରେଲର ଲଞ୍ଚ୍ ହୋଇଛି। ଉକ୍ତ ସିନେମାରେ ଏନ୍ସିପି ସାଂସଦ ଅମଲ କୋଲ୍ହେ ନାଥୁରାମ ଗଡ଼ସେ ଭୂମିକାରେ ଅଭିନୟ କରିଛନ୍ତି। ଏହାକୁ ନେଇ ଜୋରଦାର ବିବାଦ ହୋଇଛି। ଟ୍ରେଲର ଅନୁଯାୟୀ ଫିଲ୍ମରେ ନାଥୁରାମଙ୍କୁ ଜଣେ ହିରୋ ଭାବେ ଚିତ୍ରଣ କରାଯାଇଛି। ଗାନ୍ଧୀଙ୍କର ହତ୍ୟା ପରେ ଗଡ଼ସେଙ୍କ ବିରୋଧରେ ବିଚାରଣ ଚାଲିଛି ଏବଂ ତାଙ୍କ କାର୍ଯ୍ୟକୁ ଏହି ସିନେମାରେ ଯୁକ୍ତିଯୁକ୍ତ ଦର୍ଶାଯାଇଛି। ଟ୍ରେଲର ଲଞ୍ଚ୍ ହେବାପରେ କୋଲ୍ହେଙ୍କୁ କଂଗ୍ରେସ ଏବଂ ତାଙ୍କ ନିଜ ଦଳ ପକ୍ଷରୁ ମଧ୍ୟ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ୍ ଏହି ଫିଲ୍ମ ନିର୍ମାତାମାନଙ୍କ ବିରୋଧରେ ବର୍ଷିଛନ୍ତି। ଉକ୍ତ ଫିଲ୍ମ ଉପରେ ରୋକ୍ ଲଗାଇବାପାଇଁ ସେ ଦାବି କରିଛନ୍ତି। ଗାନ୍ଧୀଙ୍କ ହତ୍ୟା ଦିବସ (ସହିଦ ଦିବସ) ଆସନ୍ତା ଜାନୁଆରି ୩୦ରେ ଏହି ସିନେମା ଲାଇମଲାଇଟ୍ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ସାଂସଦ କାଲ୍ହେଙ୍କୁ ସମାଲୋଚନା କରାଯାଉଥିଲେ ମଧ୍ୟ ଅଭିନେତା ନାନା ପାଟେକର ତାଙ୍କ ସପକ୍ଷରେ ବାହାରିଛନ୍ତି। ଜଣେ ଅଭିନେତାଭାବେ କୌଣସି ଭୂମିକାରେ ଅଭିନୟ କରିବାର ସ୍ବାଧୀନତା କୋଲ୍ହେଙ୍କର ରହିଛି ବୋଲି ପାଟେକର କହିଛନ୍ତି।