ଗୁଜୁରାଟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସଫା, ସମସ୍ତ ୩୧ଟି ଆସନକୁ ଦଖଲ କଲା ବିଜେପି

ଅହମ୍ମଦାବାଦ: ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ସମସ୍ତ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଆଜି ଫଳାଫଳ ଘୋଷଣା କରାଯାଇଛି | ଆଉ ଫଳାଫଳ ଆସିବା ପରେ ବିଜେପି ଶିବିରରେ ଖୁସିର ମାହୋଲ ଖେଳିଯାଇଛି | କାରଣ ପଞ୍ଚାୟତ ନିର୍ବାଚନର ସମସ୍ତ ୩୧ଟି ଆସନରେ ବିଜେପି ଜିତାପଟ ହାସଲ କରିଥିବାବେଳେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ | ତେବେ ୨୦୧୫ ପଞ୍ଚାୟତ ନିର୍ବାଚନ ବାବଦରେ କହିବାକୁ ଗଲେ ୩୧ଟି ଜିଲ୍ଲା ପଂଚାୟତରୁ କଂଗ୍ରେସ ୭ଟିରେ ଜିତିଥିବାବେଳେ ବିଜେପି ୨୨ଟିରେ ଜିତିଥିଲା |

ଗତ ରବିବାର ଦିନ ୮୧ଟି ନଗର ନିଗମ, ୩୧ଟି ଜିଲ୍ଲା ପଞ୍ଚାୟତ ଓ ୨୩୧ଟି ତାଲୁକା ପଞ୍ଚାୟତ ପାଇଁ ଭୋଟ ଗ୍ରହଣ ହୋଇଥିଲା | ଆଉ ଆଜି ଭୋଟ ଗଣତି ହୋଇଥିଲା | କଂଗ୍ରେସର ଆଜି ଏହି ପରାଜୟ ପରେ ପିସିସି ସଭାପତି ଅମିତ ଚାବଡା ଓ ବିଧାୟକ ଦଳ ନେତା ପରେସ ଧନାନି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଗୁଜୁରାଟ ପିସିସି ସଭାପତି ଅମିତ ଚାବଡା କଂଗ୍ରେସର ପରାଜୟ ପାଇଁ ଇଭିଏମ ଉପରେ ଦୋଷ ଲଦିଥିବାବେଳେ କହିଛନ୍ତି ଯେ ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି |

ସୂଚନା ଥାଉ କି ଗତ ସପ୍ତାହରେ ଗୁଜୁରାଟ ନଗର ନିଗମ ନିର୍ବାଚନରେ ବିଜେପି ସମସ୍ତ ୬ଟି ନଗର ନିଗମରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନଥିଲା | ନଗର ନିଗମ ନିର୍ବାଚନର ସମୁଦାୟ ୫୭୬ ଆସନରୁ ବିଜେପି ୪୮୩ଟି ଆସନରେ ଜିତିଥିବାବେଳେ, କଂଗ୍ରେସ ୫୫, ଆମ ଆଦମୀ ପାର୍ଟି ୨୭, ଏଆଇଏମଆଇଏମ ୭ଟି ଆସନ ସହ ବିଏସପି ୩ଟି ସିଟରେ ଜିତାପଟ ହାସଲ କରିଥିଲା |

ସମ୍ବନ୍ଧିତ ଖବର