ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଏହି ଇସ୍ତାହାର ଜାରି କରାଯାଇଥିଲା। କଂଗ୍ରେସ ଏହାର ଇସ୍ତାହାରରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କା, ମାଗଣା ବିଦ୍ୟୁତ୍, ଝିଅମାନଙ୍କ ବିବାହରେ ସୁନା ଏବଂ ନଗଦ ଟଙ୍କା ଦେବା ଭଳି ପ୍ରତିଶୃତି ଦେଇଛି। ଏହି ସମୟ ମଧ୍ୟରେ ମଲ୍ଲିକାର୍ଜୁନ ଖଡ଼ଗେ ତେଲେଙ୍ଗାନାକୁ ଏକ ଅଲଗା ରାଜ୍ୟ କରିବା ପାଇଁ କଂଗ୍ରେସ ଏବଂ ସୋନିଆ ଗାନ୍ଧୀଙ୍କ ଭୂମିକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଖଡ଼ଗେ କହିଛନ୍ତି, “ତେଲେଙ୍ଗାନା ସୃଷ୍ଟି ପରେ ଯିଏ ଚେୟାରରେ ବସିଥିଲେ, ତାଙ୍କର କୌଣସି ଭୂମିକା ନଥିଲା। ଅନେକ ଲୋକ ଗୁଳି ଖାଇଥିଲେ,ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ଜନସାଧାରଣ ଉପକୃତ ହୋଇନଥିଲେ। ରାଜ୍ୟ ଗଠନର ଲାଭ ସାଧାରଣ ଲୋକଙ୍କ ପରିବର୍ତ୍ତେ ଖଣି ଓ କୃଷିରୁ ଲୁଟ୍ କରିଥିବା ବ୍ୟକ୍ତିଙ୍କୁ ମିଳିଲା | ସେଥିପାଇଁ, ତେଲେଙ୍ଗାନା ପାଇଁ ମଧ୍ୟ ଆମେ ୬ଟି ଗ୍ୟାରେଣ୍ଟି ରଖିଛୁ |

Advertisment

ଯେଉଁମାନେ ପ୍ରଭୁ ରାମଙ୍କ ନାମରେ ଭୋଟ୍ ମାଗନ୍ତି ସେମାନେ କିଛି କରିନାହାଁନ୍ତି। କଂଗ୍ରେସ ମହିଳାମାନଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଯୋଗାଉଛି। ମହିଳାମାନେ ପ୍ରତିଦିନ ବସରେ ମାଗଣା ଯାତ୍ରା କରି ମନ୍ଦିର ପରିଦର୍ଶନ କରୁଛନ୍ତି। କଂଗ୍ରେସ ଏହାର ଇସ୍ତାହାରରେ ଘୋଷଣା କରିଥିବା ପ୍ରମୁଖ ପ୍ରତିଶୃତି ମଧ୍ୟରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ସହ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ ମହିଳାମାନଙ୍କୁ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ଦିଆଯିବ ବୋଲି ଘୋଷଣା କରାଯାଇଛି | ସେହିପରି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ତେଲେଙ୍ଗାନାବାସୀଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦେବାକୁ କଂଗ୍ରେସ ପ୍ରତିଶୃତି ଦେଇଛି। ଇନ୍ଦିରାମା ଉପହାର ଯୋଜନା ଅଧୀନରେ ହିନ୍ଦୁ ଝିଅମାନଙ୍କ ବିବାହ ସମୟରେ ସରକାର 1 ଲକ୍ଷ ଟଙ୍କା ଏବଂ ୧୦ ଗ୍ରାମ ସୁନା ପ୍ରଦାନ କରିବେ। ଏଥି ସହିତ ଉଚ୍ଚଶିକ୍ଷା ଲାଭ କରୁଥିବା ପ୍ରତ୍ୟେକ ଝିଅଙ୍କୁ ମାଗଣାରେ ସ୍କୁଟି ଦେବାକୁ କଂଗ୍ରେସ ପ୍ରତିଶୃତି ଦେଇଛି।