କଂଗ୍ରେସ ବୈଠକ : ରାହୁଲଙ୍କୁ ନେଇ ଝଡ଼

ଏବେ ଦାୟିତ୍ୱରେ ରହିବେ ସୋନିଆ
୬ ମାସରେ କଂଗ୍ରେସ ସଭାପତି ନିର୍ବାଚନ
ସିଡବ୍ଲ୍ୟୁସିରେ ଅସନ୍ତୁଷ୍ଟଙ୍କୁ ଘେରିଲେ ଅନୁଗତ
ଆଜାଦ ଓ ଶିବଲଙ୍କ ମନ୍ତବ୍ୟକୁ ନେଇ ଚର୍ଚା

ନୂଆଦିଲ୍ଲୀ : କଂଗ୍ରେସ ସଂଗଠନରେ ବ୍ୟାପକ ପରିବର୍ତନ ପାଇଁ ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ପ‌ରେ ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ସରଗରମ ହୋଇଉଠିଥିଲା। ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବ‌ା ଏହି ବୈଠକ ଅନେକ ଥର ନାଟକୀୟ ମୋଡ଼ ନେଇଥିଲା। ଅନୁଗତ ଏବଂ ଅସନ୍ତୁଷ୍ଟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସୋନିଆ ଗାନ୍ଧି ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିବା ପରେ ଅନୁଗତମାନେ ଅସନ୍ତୁଷ୍ଟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ପତ୍ରରେ‌ ସ୍ବାକ୍ଷର କରିଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଇସ୍ତଫା ଦେବାକୁ ଧମକ ଦେଇଥିଲେ। ଅନ୍ୟତମ ଅସନ୍ତୁଷ୍ଟ ନେତା କପିଲ ଶିବଲ ମଧ୍ୟ ରାହୁଲଙ୍କୁ ନେଇ ଅସ‌ନ୍ତୋଷ ପ୍ରକାଶ କରିଥିଲେ। ତେବେ କିଛି ନେତାଙ୍କ ଉଦ୍ୟମ ‌‌ଯୋଗୁଁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶେଷରେ ବୈଠକରେ ସର୍ବସମ୍ମତକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଅନୁଯାୟୀ ସୋନିଆ ଗାନ୍ଧି ଏବେ ଅସ୍ଥାୟୀ ଅଧ୍ୟକ୍ଷା ହୋଇ ରହିବେ। ୬ ମାସ ମଧ୍ୟରେ ଏଆଇସିସି ଅଧିବେଶନ ଡକାଯିବ। ଏଥିରେ‌ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯିବ। ସେପର୍ଯ୍ୟନ୍ତ ସୋନିଆ ତାଙ୍କ ଦାୟିତ୍ବ ତୁଲାଇବେ। ତେବେ ଦୈନନ୍ଦିନ କାର୍ଯ୍ୟରେ ସୋନିଆଙ୍କୁ ସହଯୋଗ କରିବା ପାଇଁ ଦଳରେ ଏକ କମିଟି ‌ଗଠନ କରାଯିବ। ୨୩ ଜଣ ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାର ସମାଧାନ ପାଇଁ ଏହି କମିଟି ସୋନିଆଙ୍କୁ ସହାୟତା କରିବ।

ଭିଡିଓ କନଫେରେନିସଂରେ ହୋଇଥିବା ଏହି ବୈଠକ ଆରମ୍ଭ ହେବାମାତ୍ରେ ସୋନିଆ ଗାନ୍ଧି ପଦତ୍ୟାଗ କରିବାକୁ ଆଗ୍ରହ ପ୍ରକାଶ କରିବା ସହିତ ତାଙ୍କ ସ୍ଥାନରେ ନୂଆ ନେତାଙ୍କୁ ବାଛିବା ପାଇଁ କହିଥିଲେ। ତାଙ୍କର ପ୍ରାରମ୍ଭିକ ଉଦବୋଧନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏକେ ଆଣ୍ଟୋନି ସେମାନଙ୍କର ବକ୍ତବ୍ୟ ରଖି ଅସନ୍ତୁଷ୍ଟମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ମନ‌ମୋହନ ଅସନ୍ତୁଷ୍ଟମାନେ ଲେଖିଥିବା ଚିଠିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବ‌ା ସହିତ ସୋନିଆଙ୍କ ସପକ୍ଷ‌େରେ ମତ ରଖିଥିଲେ। ସେ କହିଥିଲେ ଯେ ହାଇକମାଣ୍ଡକୁ ଦୁର୍ବଳ କରିବା ଅର୍ଥ କଂଗ୍ରେସକୁ ଦୁର୍ବଳ କରିବା ଏବଂ ଏହା ଗ୍ରହଣୀୟ ନୁହେଁ। ଆଣ୍ଟୋନି ମଧ୍ୟ ଅସନ୍ତୁଷ୍ଟଙ୍କୁ ସମାଲୋଚନା କରି କହିଥିଲେ ଯେ ଚିଠିରେ ଯାହା ଲେଖାଯାଇଛି ତାହା ଅତ୍ୟନ୍ତ ନିଷ୍ଠୁର। ପ୍ରିୟଙ୍କା ମଧ୍ୟ ଅସନ୍ତଷ୍ଟଙ୍କୁ ଏବଂ ବିଶେଷ କରି ଆଜାଦଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ତେବେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିବାଦ ତେଜିଥିଲା। ସେ କୁଆଡ଼େ କହିଥିଲେ ଯେ ଯେଉଁ ସମୟରେ ଏହି ଚିଠି ଲେଖାଯାଇଛି ଯେ ସେଥିରୁ ଜଣାପଡ଼ୁଛି ଯେ ଏହି ନେତାମାନଙ୍କର ବିଜେପି ସହିତ ସଂପର୍କ ଅଛି ଏବଂ ବିଜେପି କଥାରେ ପଡ଼ି ସେମା‌ନେ ଏହି ଚିଠି ଲେଖିଛନ୍ତି। ଏଥିରେ କ୍ଷୁବ୍ଧ ହୋଇପଡ଼ିଥିଲେ ଗୁଲାମନବୀ ଆଜାଦ। ଏହାର ପ୍ରମାଣ ଦେଲେ ସେ ଇସ୍ତଫା ଦେଇଦେବେ ବୋଲି କୁଆଡ଼େ କହିଥିଲେ। ସେ କହିଥିଲେ ଯେ ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ କାମ କରିବା ପରେ ବି ତାଙ୍କର ଆନୁଗତ୍ୟକୁ ପ୍ରଶ୍ନ କରାଯିବାକୁ ସେ ଗ୍ରହଣ କରିପାରିବେ ନାହିଁ। ଏହି ଖବର ପ୍ରଚାରିତ ହେବାମାତ୍ରେ କାର୍ଯ୍ୟକାରିଣୀ ସଭ୍ୟ ନଥିବା କପିଲ ଶିବଲ ମଧ୍ୟ ବିରକ୍ତି ପ୍ରକାଶ କରି ଟୁଇଟ୍ କରିଥିଲେ। ସେ କହିଥିଲେ ଯେ ୩୦ ବର୍ଷ ଧରି ଦଳରେ ରହିଛନ୍ତି ଏବଂ ଦିନେ ମଧ୍ୟ ବିଜେପି ସପକ୍ଷରେ ମନ୍ତବ୍ୟ ଦେଇ ନାହାନ୍ତି। ସେ କଂଗ୍ରେସ ପାଇଁ କୋର୍ଟରେ କେମିତି ଲଢ଼ିଛନ୍ତି ତାହାର ଅବତାରଣା କରିଥିଲେ।

Dailyhunt

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି କିଛି ନେତା ହସ୍ତକ୍ଷେପ କରିଥିଲେ। ଏହାର କିଛି ସମୟ ପରେ ଶିବଲ ତାଙ୍କର ଟୁଇଟ୍ ପ୍ରତ୍ୟାହାର ନେଇଥିଲେ। ସେ କହିଥିଲେ ଯେ ରାହୁଲ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ଜଣାଇଛନ୍ତି ଯେ ଚିଠି ଲେଖିଥିବା ନେତାମାନଙ୍କ ସହିତ ବିଜେପିର ସଂପର୍କ ନେଇ ସେ କିଛି କହି ନାହାନ୍ତି। ଗଣମାଧ୍ୟମରୁ ଶୁଣି ସେ ଟୁଇଟ୍ କରିଥିବାରୁ ଏହାକୁ ପ୍ରତ୍ୟାହାର କରିନେଉଛନ୍ତି। ସେହିଭଳି ଗୁଲାମ ନବୀ ଆଜାଦ ସଫେଇ ଦେଇଥିଲେ ଯେ ବୈଠକରେ ରାହୁଲ ବିଜେପି କଥା କିଛି କହିନଥିଲେ। ତେବେ କଂଗ୍ରେସର କିଛି ନେତା ବୈଠକ ବାହାରେ ଚିଠିକୁ ବିଜେପି ସହିତ ‌ଯୋଡ଼ି ମନ୍ତବ୍ୟ ଦେଇଥିବାରୁ ସେ ଇସ୍ତଫା ଦେବାକୁ କହିଥିଲେ। ‌ସେ କହିଥିଲେ ଯେ ବିଜେପି ସହିତ ତାଙ୍କର ସଂପର୍କ ନେଇ ଯଦି କେହି ପ୍ରମାଣ ଦେଇଦେବ ତାହା‌ହେଲେ ସେ ଇସ୍ତଫା ଦେଇଦେବେ। ସେ ଚିଠିରେ ଉଠାଇଥିବା ପ୍ରସଙ୍ଗ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। କହିଥିଲେ ଯେ ଯଦି ସେ କିଛି ଭୁଲ କରିଛନ୍ତି ତାହା‌ହେଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଚିଠିରେ ଦସ୍ତଖତ କରିଥିବା ମୁକୁଲ ୱାସନିକ୍ ଏବଂ ଆନନ୍ଦ ଶର୍ମା ମଧ୍ୟ ଅନୁରୂପ ମତ ଦେଇଥିଲେ।

ପରିସ୍ଥିତି ଶାନ୍ତ ପଡ଼ିବା ପରେ ବୈଠକରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆସନ୍ତା ୬ ମାସ ମଧ୍ୟରେ ଏଆଇସିସି ଅଧିବେଶନ ବସିବ ଏବଂ ଏଥିରେ ନୂଆ ସଭାପତି ନିର୍ବାଚିତ ହେବେ। ସେପର୍ଯ୍ୟନ୍ତ ସଭାପତି ଦାୟିତ୍ବ ତୁଲାଇବା ଲାଗି ସୋନିଆଙ୍କୁ କୁହାଯାଇଥିଲା। ସୋନିଆଙ୍କୁ ସହାୟତା ପାଇଁ ଏକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ତମାନର ସଙ୍କଟ ସମୟରେ ଦଳର ନେତୃତ୍ବକୁ ଦୁର୍ବଳ କରିବା ଲାଗି କୌଣସି ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ। ସୋନିଆ ଏବଂ ରାହୁଲଙ୍କ ହାତମୁଠାକୁ ମଜବୁତ କରିବା ଲାଗି ପ୍ରସ୍ତାବରେ କୁହାଯାଇଛି।

ବୈଠକ ଶେଷରେ ସୋନିଆ ଗାନ୍ଧି କହିଥିଲେ, କଂଗ୍ରେସ ଏକ ବିରାଟ ଦଳ। କାହାରି ବିରୋଧରେ ମୋ ମନରେ କିଛି ଖରାପ ଭାବନା ନାହିଁ। କିନ୍ତୁ ବରିଷ୍ଠ ନେତାମାନେ ହିଁ କେବଳ ଦଳୀୟ ‌ଫୋରମରେ ସେମାନଙ୍କ ଉଦବେଗ ପ୍ରକାଶ କରିବା ଉଚିତ ଥିଲା। ଚିଠିକୁ ନେଇ ସେ ମର୍ମାହତ। କିନ୍ତୁ ଯାହା ହୋଇଗଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ୁ। ଚାଲନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା।

ସମ୍ବନ୍ଧିତ ଖବର