ନୂଆଦିଲ୍ଲୀ: ଆସନ୍ତା ବୁଧବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଥିଲେ। ଶୀତ ଅଧିବେଶନରେ ଦଳର ରଣନୀତି କ’ଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ଏବଂ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଉଠାଇବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚାନୁଯାୟୀ, କଂଗ୍ରେସ ଶୀତ ଅଧିବେଶନରେ ଗୃହରେ ଦରବୃଦ୍ଧି, ବେକାରୀ ସମସ୍ୟା, ଚୀନ୍ ସହ ସୀମା ବିବାଦ ଏବଂ ବିଚାରପତି ନିଯୁକ୍ତିକୁ ନେଇ ନିକଟରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ।
କଂଗ୍ରେସ କୃଷି ଉତ୍ପାଦ ପାଇଁ ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ ଆଲୋଚନା କରିବ। ସେହିପରି ଇଡବ୍ଲ୍ୟୁଏସ କୋଟା ଏବଂ ନିକଟରେ ଦିଲ୍ଲୀ ଏମ୍ସରେ ହୋଇଥିବା ରାନସମୱେୟାର ଆଟାକ୍ ସଂକ୍ରାନ୍ତରେ ମଧ୍ୟ କଂଗ୍ରେସ ସରକାରକୁ ଘେରିବାକୁ ସ୍ଥିର କରିଛି। ସୂଚନାନୁଯାୟୀ, ନିହାତି ଆବଶ୍ୟକ ନହେବା ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯିବନାହିଁ ବୋଲି କଂଗ୍ରେସ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାହୁଲ ଏବଂ ଅନ୍ୟ ବରିଷ୍ଠ ନେତା ସଂସଦରେ ଅନୁପସ୍ଥିତ ରହିବେ!
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏବଂ ଦଳର ଅନ୍ୟ ବରିଷ୍ଠ ନେତା ତଥା ଜୟରାମ ରମେଶ ଏବଂ ଦିଗ୍ବିଜୟ ସିଂହ ସଂସଦର ଶୀତ ଅଧିବେଶନରେ ଯୋଗ ଦେଇନପାରନ୍ତି। ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିବେ। ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ କଂଗ୍ରେସ ନେତୃବୃନ୍ଦ ଭାରତ ଯୋଡ଼ୋ ଯାତ୍ରାରୁ ସେମାନଙ୍କ ଫୋକସ୍ ହଟାଇବାକୁ ଚାହୁନାହାନ୍ତି। ସେଥିପାଇଁ ବରିଷ୍ଠ ନେତାମାନେ ଶୀତ ଅଧିବେଶନରେ ଅନୁପସ୍ଥିତ ରହି ଯାତ୍ରା ଜାରି ରଖିବେ। ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ବିଲ୍ଡିଂରେ ଅଧିବେଶନ ହେବ ବୋଲି ଜଣାପଡ଼ିଛି। ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Parliament.jpg)