କଂଗ୍ରେସ ବହିଷ୍କାର କରିବା ପରେ ବିଜେପିରେ ସାମିଲ ହେବେ କି କୁଲଦୀପ ବିଷ୍ଣୋଇ?

ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପ‌ରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବାରୁ କଂଗ୍ରେସ ଦ୍ୱାରା ଦଳର  ସମସ୍ତ ପଦରୁ ବହିଷ୍କୃତ ହୋଇଥିବା ଅଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର ଦିନ ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି। ଦୁହିଁଙ୍କୁ ଭେଟି ସେ ସେମାନଙ୍କ ସହ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ଏହି ବୈଠକ ପରେ ତାଙ୍କର ବିଜେପିରେ ଯୋଗଦେବାର ସମ୍ଭାବନା ବଢ଼ିଛି।

ଦୁଇ ସପ୍ତାହ ମଧ୍ୟରେ ବିଜେପି ନେତୃତ୍ୱଙ୍କ ସହ ଏହା ବିଷ୍ଣୋଇଙ୍କ ଦ୍ୱିତୀୟ ବୈଠକ ଥିଲା। ଜୁଲାଇ ୧୦ରେ ବିଷ୍ଣୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥିଲେ। ତେବେ ଦିଲ୍ଲୀରେ ନଡ୍ଡା ଏବଂ ଖଟ୍ଟରଙ୍କୁ ଭେଟିବା ପରେ ବିଷ୍ଣୋଇ ଦୁଇ ନେତାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ବୈଠକରେ ନଡ୍ଡା ଏବଂ ଖଟ୍ଟରଙ୍କ ସହ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲି। ଏହା ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଏବଂ ହରିୟାଣାର ବିକାଶ କାର୍ଯ୍ୟ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।

ଉଲ୍ଲେଖଷଯୋଗ୍ୟ, ଗତ ମାସରେ କଂଗ୍ରେସ ଦ୍ୱାରା ୫୩ବର୍ଷୀୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେହି ଦିନଠାରୁ ସେ ବିଜେପି ନେତାଙ୍କ ସହ ବୈଠକ କରୁଥିବା ଦେଖାଯାଇଛି। ତେବେ ଗତ ସପ୍ତାହରେ ବିଜେପି ନେତାଙ୍କ ସହ ବିଷ୍ଣୋଇଙ୍କର ବାରମ୍ବାର ବୈଠକ କରିବା ଏବଂ ସେ ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା କହିଥିଲେ ଯେ ଅଦମପୁର ବିଧାୟକ ନିଜେ ନିଷ୍ପତ୍ତି ନେବାକୁ ମୁକ୍ତ। କିନ୍ତୁ ସେ ଏହା କରିବା ପୂର୍ବରୁ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ।

ସମ୍ବନ୍ଧିତ ଖବର