ରହସ୍ୟ ଘେରରେ ମୋଦୀଙ୍କ କଳା ଟ୍ରଙ୍କ୍‌! ଟଙ୍କା ରଖି ନେଉଥିବାର ଅଭିଯୋଗ ଆଣିଲା କଂଗ୍ରେସ

ଚିତ୍ରାଦୁର୍ଗ(କର୍ଣ୍ଣାଟକ) : କର୍ଣ୍ଣାଟକର ଚିତ୍ରାଦୁର୍ଗକୁ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ମୋଦୀଙ୍କ ହେଲିକପ୍ଟରରେ ଯେଉଁ କଳା ଟ୍ରଙ୍କ ଦେଖା ଯାଇଥିଲା, ତାକୁ ନେଇ ଏବେ ମୋଦୀଙ୍କ ସଚ୍ଚୋଟପଣିଆ ଉପରେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ଆନନ୍ଦ ଶର୍ମା ମୋଦୀଙ୍କୁ କଳା ଟ୍ରଙ୍କର ରାଜ୍‌ ବିଷୟରେ ଖୁଲାସା କର ବୋଲି କହିବା ସହ ନିର୍ବାଚନ କମିସନକୁ ଏ ନେଇ ଯାଞ୍ଚ କରିବା ଉଚିତ୍‌ ବୋଲି କହିଛନ୍ତି । ଏହା ସହ କଂଗ୍ରେସର କର୍ଣ୍ଣାଟକ ୟୁନିଟ୍‌ ଏ ନେଇ ନିର୍ବାଚନ କମିସନ ଆଗରେ ଅଭିଯୋଗ କରି ସାରିଥିବା କହିଛନ୍ତି ଆନନ୍ଦ ଶର୍ମା ।

ଆନନ୍ଦଙ୍କ କହିବା ଅନୁଯାୟୀ, ଏପ୍ରିଲ ୯ରେ କର୍ଣ୍ଣାଟକର ଚିତ୍ରାଦୁର୍ଗ ଆୟୋଜିତ କରାଯାଇଥିବା ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ସମୟରେ ତାଙ୍କ ହେଲିକପ୍ଟର ସହ ଆଉ ୩ଟି ହେଲିକପ୍ଟର ଅବତରଣ କରିଥିଲା । ପରେ ହେଲିକପ୍ଟରରୁ ଏକ କଳା ରଙ୍ଗର ଟ୍ରଙ୍କ ବାହାର କରାଯାଇ ଏକ ବ୍ୟକ୍ତିଗତ କାର୍‌ରେ ରଖି ଦିଆ ଯାଇଥିଲା । ଯଦି ସେଥିରେ ଟଙ୍କା ନଥିଲା, ତେବେ ଥିଲା କ’ଣ? ତାହାର ଯାଞ୍ଚ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଆନନ୍ଦ । ଏହା ସହ ଦଳ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କିଛି ଲୋକ ଏକ କଳା ରଙ୍ଗର ଟ୍ରଙ୍କକୁ ବୋହି ନେଇ ଏକ ଧଳା ରଙ୍ଗର କାର୍‌ ପଛପଟେ ରଖୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର