କଂଗ୍ରେସରେ ପାଣ୍ଠି ସଙ୍କଟ: ମିସନ-୨୦୧୯ ପାଇଁ ଚିନ୍ତା ବଢ଼ୁଛି

ନୂଆଦିଲ୍ଲୀ: କଂଗ୍ରେସ ଦଳ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବା ପାଇଁ ଚାଲିଥିବା ଦଳୀୟ ଅଭିଯାନ ଏହାଦ୍ୱାରା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣ୍ଠି ସଙ୍କଟ ବଢ଼ି ଯାଇଥିବାରୁ ଗତ ୫ ମାସ ଭିତରେ କଂଗ୍ରେସ ନେତୃତ୍ୱ ଅନେକ ରାଜ୍ୟ କାର୍ଯ୍ୟାଳୟ ସଂଚାଳନ ପାଇଁ ଯୋଜନା ମୁତାବକ ଅର୍ଥ ଯୋଗାଇ ପାରିନାହାନ୍ତି। ଏହି ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ସଦସ୍ୟତା ସଂଖ୍ୟା ବଢ଼ାଇବାକୁ ଗୁରୁତ୍ୱାରୋପ କରାଯାଇଛି। ଏହା ସହିତ ନେତାମାନଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ରାଜନୈତିକ ଚାନ୍ଦା ଆଦାୟରେ ବିଜେପି ସମସ୍ତଙ୍କଠାରୁ ଆଗରେ ରହିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେପି ଦଳୀୟ ପାଣ୍ଠିରେ ୮୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଦଳ ୧,୦୩୪ କୋଟି ଟଙ୍କା ଆଦାୟ କରିଛି। ୭ଟି ଜାତୀୟ ଦଳର ମୋଟ ଆୟଠାରୁ ମଧ୍ୟ ବିଜେପି ଯଥେଷ୍ଟ ଅଧିକ ରହିଛି। କଂଗ୍ରେସ, ବିଏସ୍‌୍‌ପି, ତୃଣମୂଳ, ସିପିଏମ୍‌୍‌, ସିପିଆଇ ଏବଂ ଏନ୍‌ସିପି ଭଳି ଜାତୀୟ ଦଳଗୁଡ଼ିକୁ ମୋଟ ୧୫୫୯ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି। ସାଧାରଣତଃ କେନ୍ଦ୍ରରେ କ୍ଷମତାରେ ଥିବା ଦଳକୁ ଅଧିକ ଚାନ୍ଦା ମିଳିଥାଏ। କିନ୍ତୁ ବିଜେପି ଏହି ମାମଲାରେ ୟୁପିଏ ଅମଳର କଂଗ୍ରେସକୁ ଯଥେଷ୍ଟ ପଛରେ ପକାଇ ଦେଇଛି। ବିଜେପିକୁ ମିଳିଥିବା ୧୦୩୪ କୋଟି ଟଙ୍କା ଚାନ୍ଦାରୁ ୯୯୭ କୋଟି ଟଙ୍କା ସ୍ୱେଚ୍ଛାକୃତ ଦାନ ଭାବେ ଦର୍ଶାଯାଇଛି। କଂଗ୍ରେସର ଆୟ ୨୦୧୫-୧୬ ତୁଳନାରେ ୧୪ ପ୍ରତିଶତ କମିଯାଇଛି। କଂଗ୍ରେସକୁ କୁପନ ମାଧ୍ୟମରେ ୧୧୫.୬ କୋଟି ଟଙ୍କା ମିଳିଛି। ମାର୍ଚ୍ଚ ୨୦୧୮ ଅଡିଟ୍‌ ରିପୋର୍ଟ ମୁତାବକ କଂଗ୍ରେସ ତା’ର ଆୟଠାରୁ ୯୬ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛି। ମୋଟ ୪୮ଟିରୁ ୩୨ଟି ଆଞ୍ଚଳିକ ଦଳ ୨୦୧୬-୧୭ରେ ୩୨୧ କୋଟି ଟଙ୍କା ଆୟ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟ ୧୬ଟି ଦଳ ନିର୍ଦ୍ଧାରିତ ତାରିଖ ଅକ୍ଟୋବର ୨୦୧୭ ସୁଦ୍ଧା ସେମାନଙ୍କର ଆୟ ବ୍ୟୟର ରିପୋର୍ଟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିନାହାନ୍ତି। ରିପୋର୍ଟ ଦାଖଲ କରିନଥିବା ଦଳ ଗୁଡ଼ିକ ମଧ୍ୟରେ ଆମ୍‌ ଆଦମୀ ପାର୍ଟି, ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ଭଳି ଦଳ ରହିଛନ୍ତି।

ସମ୍ବନ୍ଧିତ ଖବର