ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ସଂକଟ, ୬୫ ବିଧାୟକଙ୍କୁ ହୋଟେଲରେ ଲୁଚାଇଲା ଦଳ

ଗାନ୍ଧିନଗର : ସାରା ଦେଶରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ନେତାମାନେ ରାଜନୀତି ଛାଡ଼ିପାରୁନାହାନ୍ତି   । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୁଜୁରାଟରେ ବିଧାୟକ କିଣାବିକା ଆରମ୍ଭ ହୋଇଯାଇଛି । ଗୁଜୁରାଟ କଂଗ୍ରେସର ୩ ବିଧାୟକ ଇତି ମଧ୍ୟରେ ଦଳର ପ୍ରାଥମିକ ସଦସ୍ୟ  ପଦରୁ ଇସ୍ତଫା ଦେଇଛନ୍ତି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସରେ ଛନକା ପଶିଯାଇଛି । ଏଥିପାଇଁ ଦଳ ତରଫରୁ ନିଜର ୬୫ ଜଣ ବିଧାୟକଙ୍କ ଗୁଜୁରାଟ ଓ ରାଜସ୍ଥାନର ବିଭିନ୍ନ ହୋଟେଲ ଓ ରିସର୍ଟରେ ଲୁଚାଇ ରଖାଯାଇଛି । ଏହି ବିଧାୟକମାନଙ୍କୁ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର ୱାଇଲଡ ୱାଇଣ୍ଡସ ରିସର୍ଟ ଓ ବରୋଦରାର  ଆରିଜ ରିଭରସାଇଡ ଫାର୍ମହାଉସ ରିସର୍ଟରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।

ଆସନ୍ତା ୧୯ ତାରିଖରେ ଗୁଜୁରାଟର ୪ଟି ଆସନ ପାଇଂ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସର ୮ ବିଧାୟକ ଇସ୍ତଫା ଦେଇସାରିଛନ୍ତି  । ଏହି ୮ ଜଣଙ୍କ ମଧ୍ୟରୁ ୫ ଜଣ ମାର୍ଚ୍ଚମାସରେ ଓ  ନିକଟରେ ୩ ଜଣ ଇସ୍ତଫା ଦେଇଛନ୍ତି ।  ଆଉ ୨ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଦଳ ଆଶଙ୍କା କରୁଛି ।

ଏ ସଂପର୍କରେ କଂଗ୍ରେସର ଜଣେ ବିଧାୟକ ଗୁଲାବ ସିଂ ରାଜପୁତ କହିଛନ୍ତି ଯେ  ଆଗାମୀ  ରାଜ୍ୟସଭା ନିର୍ବାଚନ ନିମନ୍ତେ ଦଳର ରଣନୀତି ନିର୍ଦ୍ଧାରଣ କରିବାକୁ ବିଧାୟକମାନେ ଏକାଠି ହୋଇଛନ୍ତି । ଯେଉଁମାନେ ଇସ୍ତଫା ଦେଇଛନ୍ତି  ସେମାନେ ଲୋକମାନଙ୍କ ଜନାଦେଶକୁ ଧୋକାଦେଇଛନ୍ତି ।  କିନ୍ତୁ ଦଳର ଅନ୍ୟ ବିଧାୟକମାନେ ଏକାଠି ଅଛନ୍ତି ଓ ଇସ୍ତଫା ଦେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ବିଜେପି ଘୋଡ଼ାବେପାର କରୁଛି ବୋଲି କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି । 

ସମ୍ବନ୍ଧିତ ଖବର