ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଂସଦ ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନ! ‘ଅଠାକାଠି’ରେ ଛନ୍ଦିହେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ’ରାଷ୍ଟ୍ରପତ୍ନୀ’ ବୋଲି ଉଲ୍ଲେଖ କରି ପୂରା କଂଗ୍ରେସ ଦଳକୁ ‘ଅଠାକାଠି’ରେ ଛନ୍ଦି ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ଘଟଣାରେ କଂଗ୍ରେସକୁ ଘେରି ସଂସଦକୁ ଅଚଳ କରି ଦେଇଥିବା ବେଳେ ଖୋଦ୍‌ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ମାମଲାରେ ସାଂସଦ ଅଧୀରଙ୍କୁ ସୁରକ୍ଷା ଦେବା ପାଇଁ ଗଣମାଧ୍ୟମ ସମ୍ମୁଖରେ ଯେଉଁ ‘ମିଛ ବୟାନ’ ଦେଲେ; ତାହାର ସତ୍ୟତା ଜଣା ପଡ଼ିବା ପରେ କଂଗ୍ରେସର ଅଡ଼ୁଆ କମିବା ପରିବର୍ତ୍ତେ ଆହୁରି ବହୁ ଗୁଣରେ ବଢ଼ିଯାଇଛି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଉଲ୍ଲେଖ କରି ଅପମାନିତ କରିଥିବାରୁ ଭାରତୀୟ ଜନତା ପାର୍ଟି (ବିଜେପି), ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା। କଂଗ୍ରେସ ଦଳ ଜଣେ  ସୋନିଆ ଗାନ୍ଧୀଙ୍କ ଭଳି ଜଣେ ମହିଳାଙ୍କ ନେତୃତ୍ୱରେ ଥିବା ସତ୍ତ୍ୱେ କଂଗ୍ରେସ କର୍ମୀମାନେ ସାମ୍ବିଧାନିକ ପଦବୀରେ ଥିବା ମହିଳାମାନଙ୍କୁ ଅପମାନିତ କରିବା ଲଜ୍ଜାଜନକ ବୋଲି କହିଥିଲା ବିଜେପି। କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଏହି ମାମଲାରେ ଅଧୀର ରଂଜନ ଚୌଧୁରୀ କ୍ଷମା ମାଗି ସାରିଛନ୍ତି।

ଅନ୍ୟପକ୍ଷରେ ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ସେ ଭୁଲରେ ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ‘ରାଷ୍ଟ୍ରପତ୍ନୀ’ ଶବ୍ଦ ବ୍ୟବହାର କରିଛନ୍ତି ଏବଂ ଶାସକ ଦଳ ଜାଣିଶୁଣି ଏକ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି। ତେଣୁ, ମରିଗଲେ ବି କ୍ଷମା ମାଗିବାର ପ୍ରଶ୍ନ ଉଠୁନି! ‘ମୁଁ ଭୁଲରେ ‘ରାଷ୍ଟ୍ରପତ୍ନୀ’ କହିଥିଲି, ବର୍ତ୍ତମାନ ଯଦି ତୁମେ ମୋତେ ଏଥିପାଇଁ ଟାଙ୍ଗିବାକୁ ଚାହୁଁଛ, ତେବେ ତୁମେ କରିପାରିବ… ଶାସକ ଦଳ ଏକ ସୁଚିନ୍ତିତ ଡିଜାଇନ୍‌ରେ ଏହାକୁ ଏକ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ସାଂସଦ ଚୌଧୁରୀ ତାଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ଉପରେ ସଫେଇ ଦେଇ କହିଥିଲେ।

Photo Courtesy : Lokmat

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ମୁଖାଖୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହଥିଲେ: ‘କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ସେ କ୍ଷମା ମାଗି ସାରିଛନ୍ତି! କିନ୍ତୁ ସେ ଦେଶକୁ ବିଭ୍ରାନ୍ତ କରୁଛନ୍ତି। ଅଧୀର ଚୌଧୁରୀ ଦାବି କରୁଛନ୍ତି ଯେ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ। ସବୁ ପ୍ରକାରେ କଂଗ୍ରେସ ଦଳ ଜଣେ ଆଦିବାସୀ, ସଫଳ ନେତାଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ରାଷ୍ଟ୍ରପତିଙ୍କୁ ଅଧୀର ଚୌଧୁରୀ ଯେପରି ଅପମାନିତ କରିଛନ୍ତି ତାହା ସେମାନଙ୍କର ମାନସିକତାକୁ ଦର୍ଶାଉଛି। ଏ ଦେଶ ଆମ ଆଦିବାସୀ ଲୋକଙ୍କ ପ୍ରତି ଏହି ଅପମାନକୁ କଦାପି ବରଦାସ୍ତ କରିବ ନାହିଁ। ଏସବୁ ପରେ ସେ କହୁଛନ୍ତି ଯେ ଏଥିପାଇଁ କ୍ଷମା ମାଗିବାର ଆବଶ୍ୟକତା ନାହିଁ। ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ହୋଇନପାରେ।’

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବୟାନ ପରେ ସଂସଦରେ ହଟ୍ଟଗୋଳ ହେବା ସହ ସଂସଦ ମୁଲତବୀ ହୋଇଯାଇଥିଲା। ଏହାପରେ ବି ଚେତି ନଥିଲେ କଂଗ୍ରେସ ସାଂସଦ ଅଧୀର। ପୁଣି ନିଜର ବୟାନ ବାଜ ଜାରିରଖି କହିଲେ, ‘ମୁଁ ଜଣେ ବଙ୍ଗାଳୀ, ହିନ୍ଦୀରେ ଅଭ୍ୟସ୍ତ ନୁହେଁ। ମୁଁ ଏକ ଭୁଲ୍‌ କରିଥିଲି, ମୁଁ ସହମତ। କିନ୍ତୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ମୁଁ କସ୍ନିନ୍‌ କାଳେ ସଂସଦରେ କ୍ଷମା ମାଗିବି ନାହିଁ। ମୁଁ ରାଷ୍ଟ୍ରପତିଙ୍କଠାରୁ ସମୟ ମାଗିଛି ଏବଂ ମୁଁ ତାଙ୍କୁ କ୍ଷମା ମାଗିବି। କିନ୍ତୁ ସଂସଦରେ ମୁଁ ଏହି ‘ପାଖଣ୍ଡୀ’ (କପଟୀ)ଙ୍କୁ କ୍ଷମା ମାଗିବି ନାହିଁ।’

ସାଂସଦ ଅଧୀରଙ୍କ ଏହି ଦ୍ୱିତୀୟ ବୟାନ ପରେ ଏହି ମାମଲାର ସଦ୍ୟତମ ଘଟଣାକ୍ରମରେ ଜାତୀୟ ମହିଳା ଆୟୋଗଙ୍କ ସମେତ ୧୨ଟି ରାଜ୍ୟର ମହିଳା ଆୟୋଗ ଗୁରୁବାର ଦିନ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ ଗଭୀର ଅପମାନଜନକ ଏବଂ ‘ଲିଙ୍ଗବାଦୀ’ ବୋଲି କହିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଗତକାଲି (ବୁଧବାର) କହିଥିଲେ, ଭାରତର ‘ରାଷ୍ଟ୍ରପତ୍ନୀ’ ସମସ୍ତଙ୍କ ପାଇଁ। ନ୍ୟାସନାଲ ହେରାଲ୍‌ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ଇଡି ବିରୋଧରେ କଂଗ୍ରେସର ବିକ୍ଷୋଭ ସମୟରେ ଚୌଧୁରୀ ଏହି ମନ୍ତବ୍ୟ ଦେଇଥିଲେ। ରାଷ୍ଟ୍ରପତି ଭବନକୁ ପଦଯାତ୍ରା କରିବାକୁ କଂଗ୍ରେସର ଯୋଜନା ବିଷୟରେ ପଚରା ଯିବାରୁ ଅଧୀର ଚୌଧୁରୀ କହିଥିଲେ, ‘ହଁ, ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ। ଭାରତର ରାଷ୍ଟ୍ରପତି, ନା, ନା, ରାଷ୍ଟ୍ରପତ୍ନୀ ସମସ୍ତଙ୍କର’ ବୋଲି ସେ କହିଥିଲେ।

ଏହି ମନ୍ତବ୍ୟର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଭାରତର ମହିଳା ଏବଂ ଆଦିବାସୀମାନଙ୍କୁ ଅପମାନିତ କରିଥିବାରୁ କଂଗ୍ରେସକୁ ସମାଲୋଚନା କରଥିଲେ। ସଂସଦରେ ଏବଂ ଭାରତର ରାଜରାସ୍ତାରେ କଂଗ୍ରେସ ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ ବୋଲି ଇରାନୀ ଦାବୀ କରିଥିଲେ।

ସମ୍ବନ୍ଧିତ ଖବର