ସଞ୍ଜୟଙ୍କ ସମର୍ଥନରେ ବାହାରିଲେ ରାହୁଲ; କହିଲେ, ‘ଶେଷରେ ସତ୍ୟ ଜିତିବ ଏବଂ ଅହଂକାର ହାରିଯିବ’…

ନୂଆଦିଲ୍ଲୀ: ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ନିଜ ହେପାଜନକୁ ନେବା ପରେ ଏବେ ସଞ୍ଜୟଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ।

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମର୍ଥନ ଜଣାଇବାକୁ ଯାଇ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କହିିଛନ୍ତି, ‘୧୬ ଘଣ୍ଟାର ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ତେବେ, ଏହି ଘଟଣାରେ ରାଜାଙ୍କ ବାର୍ତ୍ତା ସ୍ପଷ୍ଟ- ସେ ଯିଏ ବି ହେଉନା କାହିଁକି; ମୋ ବିରୁଦ୍ଧରେ ଯିଏ ବି କହିବ ସେ କ୍ଷତିଗ୍ରସ୍ତ ହେବ।’

ସଞ୍ଜୟଙ୍କ ଗିରଫଦାରୀ ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି କଂଗ୍ରେସ ସାଂସଦ ରାହୁଲ କହିଛନ୍ତି ଯେ ବିରୋଧୀଙ୍କ ମନୋବଳ ଭାଙ୍ଗିବା ଏବଂ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକର ଅପବ୍ୟବହାର କରି ସତ୍ୟକୁ ଚୁପ୍‌ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘କିନ୍ତୁ ଶୁଣ, ଏକଛତ୍ରବାଦୀ ଶାସକ, ଶେଷରେ ସତ୍ୟ ଜିତିବ ଏବଂ ଅହଂକାର ହାରିଯିବ।’

ତେବେ, ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ଏକଦା ତାଙ୍କୁ ସବୁ ବିଷୟରେ ସମର୍ଥନ କରୁଥିବା ଓ ନିଜର ସମର୍ଥନ ଦେଉଥିବା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଏଯାବତ୍‌ ନିରବ ରହିଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତାଙ୍କୁ ସମର୍ଥନ ଜଣାଇ ତାଙ୍କ ସପକ୍ଷରେ ବାହାରିବା ଘଟଣା ରାଜନୀତିଜ୍ଞ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଲ୍ଲେଖଯୋଗ୍ୟ, ଏକ ଜମି ଦୁର୍ନୀତି ମାମଲାରେ ଶିବସେନାର ଜାତୀୟ ମୁଖପାତ୍ର ତଥା ସାସଂଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମଏଲଏ (ମନି ଲଣ୍ଡରିଂ ଆଇନ ନିବାରଣ) ଅଦାଲତରେ ଶୁଣାଣି ପରେ ଅଗଷ୍ଟ ୪ ପର୍ଯ୍ୟନ୍ତ ନିଜ ହେପାଜତକୁ ନେଇଛି। ମନି ଲଣ୍ଡରିଂ ମାମଲା ସମ୍ପର୍କରେ ଇଡି ଦ୍ୱାରା ୯ଘଣ୍ଟା ଧରି ଚାଲିଥିବା ଚଢାଉ ପରେ ସଞ୍ଜୟ ରାଉତଙ୍କୁ ରବିବାର ରାତିରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍‌ସି (ଇଡି) ଗିରଫ କରିଥିଲା। ଶିବସେନା ସାଂସଦ ସଞ୍ଜୟ ରାଉତ ଦୁଇଥର କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍‌ସିର ସମନକୁ ଅବମାନନା କରିବା ପରେ ଇଡି ପକ୍ଷରୁ ଏହି ଚଢାଉ କରା ଯାଇଥିଲା।

ସମ୍ବନ୍ଧିତ ଖବର