ମେୟର ଦେଖିବାକୁ ଖୁବ ସୁନ୍ଦର, କିନ୍ତୁ ତାଙ୍କ କଥା….

କଂଗ୍ରେସ ସାଂସଦଙ୍କ ନାମରେ ରୁଜୁ ହେଲା ମାମଲା

ତିରୁବନନ୍ତପୁରମ୍: ମେୟର ଦେଖିବାକୁ ଖୁବ ସୁନ୍ଦର, କିନ୍ତୁ ତାଙ୍କ କଥା ଖୁବ କଦର୍ଯ୍ୟ | କିଛି ଏଭଳି ବୟାନ ଦେଇ ଏବେ ଅଡୁଆରେ ପଡିଯାଇଛନ୍ତି ଜଣେ କଂଗ୍ରେସ ସାଂସଦ | ତିରୁବନନ୍ତପୁରମ୍ ମେୟର ଆର୍ଯ୍ୟ ରାଜେନ୍ଦ୍ରନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କେରଳ ପୁଲିସ କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ କେ ମୁରଲୀଧରନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ କହିଛି ଯେ ସିପିଆଇ (ଏମ) ସଦସ୍ୟ ରାଜେନ୍ଦ୍ରନଙ୍କ ଅଭିଯୋଗକୁ ଭିତ୍ତି କରି କଂଗ୍ରେସ ନେତାଙ୍କ ବିରୋଧରେ ଆଇପିସିର ଧାରା ୩୫୪(ଏ) ଏବଂ ୫୦୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ମେୟର ଅଭିଯୋଗ କରିଛନ୍ତି ଯେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ସମୟରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ମୁରଲୀଧରନ୍ ତାଙ୍କ ନାରୀତ୍ୱକୁ ଅପମାନିତ କରିଛନ୍ତି। ରାଜସ୍ୱ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ମ୍ୟୁନିସିପାଲିଟି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ମୁରଲୀଧରନ୍ ବିରୋଧ କରିଥିଲେ।

କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ମେୟର ଖୁବ ସୁନ୍ଦର ଦେଖାଯାଉଥିଲେ ବି କିନ୍ତୁ ତାଙ୍କ ମୁହଁରୁ ଯାହା ବାହାରିଥିଲା ତାହା କୋଡୁଙ୍ଗାଲୁର ଭାରାନି ଗାଇବାଠାରୁ ବି ଖୁବ କଦର୍ଯ୍ୟ | କୋଡୁଙ୍ଗାଲୁର ଭାରାନି ଗୀତ ଏକ ଲୋକଗୀତ ହୋଇଥିବାବେଳେ ଏହାକୁ ତ୍ରିସୁରରେ ଥିବା କୋଡୁଙ୍ଗାଲୁରର ପ୍ରସିଦ୍ଧ ଦେବୀଙ୍କ ମନ୍ଦିରରେ ଗାନ କରାଯାଇଥାଏ | ଏହି ଗୀତରେ ଅପମାନଜନକ ଶବ୍ଦ ବ୍ୟବହୃତ ହୁଏ | ମନ୍ଦିରରେ ଏକତ୍ରିତ ହୋଇଥିବା ହଜାର ହଜାର ଲୋକ ଏହିପରି ଗୀତ ଗାଇଥାନ୍ତି । ତେବେ ଏହି ମନ୍ତବ୍ୟକୁ ନେଇ ମୁରଲୀଧରନ୍ କ୍ଷମା ମାଗିଛନ୍ତି ଏବଂ କାହାକୁ ଆଘାତ ଦେବାର ଅର୍ଥ ନୁହେଁ ବୋଲି କହିଛନ୍ତି।

ସେ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, “ଯଦି ମୋର ମନ୍ତବ୍ୟ ବ୍ୟକ୍ତିଗତ ଭାବେ କାହାକୁ ମାନସିକ ଆଘାତ ଦେଇଛି, ତେବେ ମୁଁ ଦୁଃଖିତ । ଏହା କହିବାକୁ ମୋର କୌଣସି ଦ୍ୱିଧା ନାହିଁ ‘| ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହାକୁ ସୁନ୍ଦର ବୋଲି କହିବାରେ କୌଣସି ଅଶ୍ଳୀଳତା ଦେଖନ୍ତି ନାହିଁ। ମୁରଲୀଧରନ୍ ଅଭିଯୋଗ କରିଛନ୍ତି ଯେ ଏଲଡିଏଫ୍ ଶାସନ ଅଧୀନରେ ମ୍ୟୁନିସିପାଲିଟି କର୍ପୋରେସନରେ ଅଦୃଶ୍ୟ ଦୁର୍ନୀତି ହୋଇଛି ଏବଂ ମେୟର ତାଙ୍କ ଦାୟିତ୍ୱରୁ ଦୂରେଇ ଯାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର